Friday, April 24, 2026
Jail

ଜେଲ୍‌ ଗଲେ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା: ୨୦୬ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି

ରାଜ୍ୟ

 ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ(ଭିଜିଲାନ୍ସ) ଗିରଫ କରିଛି। ଚଢ଼ଉ ବେଳେ ସୁନ୍ଦରଗଡ଼ ଓ ରାଉରକେଲା ଛେଣ୍ଡରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୨ଟି ବହୁତଳ କୋଠା, ଭୁବନେଶ୍ୱରରେ ୨ଟି ଫ୍ଲାଟ୍‌, ୪ଟି ଦାମୀ ପ୍ଲଟ୍‌, ନଗଦ ୨ ଲକ୍ଷ ୩୩ ହଜାର ଟଙ୍କା, ବ୍ୟାଙ୍କ ଜମା ୫୪ ଲକ୍ଷ ଟଙ୍କା ଭିଜିଲାନ୍ସ ଠାବ କରିଥିଲା।  ଶ୍ରୀ ବେହେରା ଏସବୁ ସମ୍ପତ୍ତିର ହିସାବ ଦେଇ ପାରି ନଥିବାରୁ ଏହାକୁ ଆୟ ବହିର୍ଭୂତ ସମ୍ପତ୍ତି ଭାବେ ଆକଳନ କରାଯାଇଛି। ସୋମବାର ରାତିରେ ଭୁବନେଶ୍ବରସ୍ଥ ଫ୍ଲାଟ୍‌ରୁ ତାଙ୍କୁ ଗିରଫ କରି ରାଉରକେଲାର ଭିଜିଲାନ୍ସ ୟୁନିଟ୍‌ କାର୍ଯ୍ୟାଳୟକୁ ଅଣାଯିବା ପରେ ମଙ୍ଗଳବାର ରାତି ୮ଟାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇ ଜେଲ୍‌କୁ ପଠାଯାଇଛି। ସୁନ୍ଦରଗଡ଼ ସ୍ବତନ୍ତ୍ର  ଭିଜିଲାନ୍ସ କୋର୍ଟଙ୍କ ଯାଞ୍ଚ ଅନୁମତିକ୍ରମେ ଭିଜିଲାନ୍ସର ୮ଟି ଟିମ୍‌  ଶ୍ରୀ ବେହେରାଙ୍କ ସୁନ୍ଦରଗଡ଼ ଶଙ୍କରା, ରାଉରକେଲା ଛେଣ୍ଡ, ଭୁବନେଶ୍ବର, ତାଙ୍କ ପୈତୃକ ଗାଁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଓ ଶ୍ବଶୁର ଘରେ ଚଢ଼ଉ କରି ୨୦୬ ପ୍ରତିଶତରୁ ଅଧିକ  ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି।