କଟକ: ଜିଲ୍ଲା ଆଇନ ସେବା ପ୍ରାଧୀକରଣ (ଡିଏଲ୍ଏସ୍ଏ), କଟକ ଏବଂ କୁଳସରିଚୁଆଁ ପ୍ରାଥମିକ କୃଷି ସମବାୟ ସମିତିର ମିଳିତ ଆନୁକୂଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କୁ ଆଇନଗତ ସେବା ଏବଂ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନ କରାଇବା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା, ଆଇନଜୀବୀ ବିଜୟ କୁମାର ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ରଥ, ସହକାରୀ ଶ୍ରମ ଅଧିକାରୀ ମୋନାଲିସା ପାଢୀ, ସ୍ଥାନୀୟ ସରପଞ୍ଚ ବନମାଳୀ ବିହାରୀ, କୃଷି ସମବାୟ ସମିତିର ସଭାପତି ଦେବେନ୍ଦ୍ର କୁମାର ସ୍ୱାଇଁ ଏବଂ ସ୍ଥାନୀୟ ମୁରବି ଜଗଦୀଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଉପସ୍ଥିତ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ବିନା ମୂଲ୍ୟରେ ଆଇନଗତ ସହାୟତା, ଲୋକ ଅଦାଲତ ଏବଂ ମଧ୍ୟସ୍ଥତା (ମେଡିଏସନ୍) ମାଧ୍ୟମରେ କିଭଳି ସହଜରେ ଓ କମ୍ ଖର୍ଚ୍ଚରେ ବିବାଦର ସମାଧାନ କରାଯାଇପାରିବ, ସେ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏଥିସହିତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ କିପରି ହିତାଧିକାରୀମାନେ ପାଇପାରିବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୭୦ ଜଣ ଲୋକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମବାୟ ସମିତିର ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
