ବାରିପଦା: ଦୀର୍ଘ ୮ ବର୍ଷ ଧରି ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ବିଦ୍ୟାଳୟର ଆଦର୍ଶ ଛାତ୍ର ଭାବେ ସୁନାମ ଅର୍ଜନ କରି ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ଲାଭ କରି ମାଇନିଙ୍ଗରେ ଡିପ୍ଲୋମାର ଶେଷ ବର୍ଷର ଛାତ୍ର କ୍ରିଷ୍ଣା ଜେନା ଲକ୍ଷ୍ମୀପୋଷି ନିକଟସ୍ଥ କେନାଲ ପାଣିରେ ବୁଡି ଅକାଳେ ଝରିପଡିଲେ I ଜଣେ ମେଧାବୀ ଛାତ୍ର ଭାବେ ସେ ସମସ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକ୍ତୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ସୁନାମ ଆଣିଥିଲେ I ଦାରିଦ୍ରତାର ଚାପରେ ତାଙ୍କ ମା’ ବିଷ୍ନୁପ୍ରିୟା ଜେନା ଅନ୍ୟ ଘରେ କାମ କରି ପୁଅର ସମସ୍ତ ଆବଶ୍ୟକତା ପୂରଣ କରୁଥିଲେ I କିନ୍ତୁ ପରିବାରର ଦୁଃଖ ଦୂରକରିବା ପୂର୍ବରୁ ପରିବାରକୁ ଆହୁରି ଦୁଃଖର ବୋଝଦେଇ ଚାଲିଗଲେ I ଖବର ପାଇ ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟତ୍ରୀ, ହଷ୍ଟେଲର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଏକ ଶୋକାକୁଳ ପରିବେଶରେ କ୍ରିଷ୍ଣାଙ୍କ ଫୋଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ଭାବବିହ୍ଵଳ ହୋଇ କ୍ରିଷ୍ଣାଙ୍କ ଜୀବନ ଶୈଳୀ ଉପରେ ଆଲୋକପାତ କରିବା ସହ ପହଁରା ନ ଜାଣି ନଦୀ, ନାଳ, ପୋଖରୀ ଆଦି ଜଳାଶୟରେ ପ୍ରବେଶ ନ କରିବାକୁ ପରାମର୍ଶ ଦେଇଥିଲେ I ଖବର ପାଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ବ୍ଲକ ଶିକ୍ଷା ବିଭାଗ ତରଫରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ସି ଆର ସି ସି ଧନଞ୍ଜୟ ସାହୁ ଶୋକ ପ୍ରକାଶ କରିଥିଲେ I ସମାଜସେବୀ ଅମର ସେଠି, ଶିକ୍ଷକ ଗଣେଶ ବେହେରା, ୧୯ ନଂ ୱାର୍ଡ କାଉନସିଲର ଦିଗବିଜୟ ହାଁସଦା, ସମାଜସେବୀ ଲିଟନ ମହାପାତ୍ର ଶେଷକୃତ୍ୟ ସମ୍ପନ୍ନ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ I ବାରୁଣୀ ସ୍ୱର୍ଗଦ୍ୱାରରେ ସାନଭାଇ ଅର୍ଜୁନ ଜେନା ମୁଖାଗ୍ନି ଦେଇଥିଲେ I
