Wear

ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତର ଯୋଜନା, ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପରେ ସାମରିକ ଘାଟୀ

ଦେଶ - ବିଦେଶ

ନୂଆଦିଲ୍ଲୀ : ଆରବ ମହାସାଗରରେ ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପକୁ ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପ୍ରତିରକ୍ଷା ଘାଟୀ ଭାବେ ବ୍ୟବହାର କରାଯିବ। ଏବେ ଏହି ଦ୍ବୀପରେ ୧୦୫ ପରିବାର ରହୁଛନ୍ତି। ଏହି ଦ୍ବୀପ ନିକଟସ୍ଥ ସାମୁଦ୍ରିକ ମାର୍ଗ ଦେଇ ଚୀନ୍‌ ୟୁରୋପ ଏବଂ ଆଫ୍ରିକା ସହ କାରବାର କରୁଛି। ସମୁଦ୍ରରେ ଚୀନ୍‌ ଦାଦାଗିରିକୁ ଶେଷ କରିବା ପାଇଁ ଭାରତ ଏହି ପଦକ୍ଷେପ ନେଉଥିବା କୁହାଯାଉଛି।

ଏଠାରୁ ପାକିସ୍ତାନର ବେଆଇନ କାର୍ଯ୍ୟକଳାପ ଉପରେ ମଧ୍ୟ ରୋକ୍‌ ଲଗାଯାଇପାରିବ। ଏହି ଦେଶକୁ ଘେରିବାରେ ସହାୟକ ହେବ। ଲାକ୍ଷାଦ୍ବୀପ ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି ଯେ ରଣନୈତିକ ସ୍ଥିତି ଦୃଷ୍ଟିରୁ ଏହି ଦ୍ବୀପ ଗୁରୁତ୍ବପୂର୍ଣ୍ଣ। ଏହା ଜାତୀୟ ସୁରକ୍ଷା ପାଇଁ ମଧ୍ୟ ଜରୁରୀ। କିନ୍ତୁ ଲୋକେ ବାସ କରୁଥିବା ଯୋଗୁ ଲଜିଷ୍ଟିକ ଜନିତ ଏବଂ ପ୍ରଶାସନିକ ସମସ୍ୟା ସୃଷ୍ଟି ହେଉଛି। ସେଥିପାଇଁ ସମ୍ପୂର୍ଣ୍ଣ ଦ୍ବୀପକୁ ଅଧିଗ୍ରହଣ କରାଯିବ। ଏହା ଭାରତକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଜରୁରୀ। ପରେ ଏହାକୁ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ଏବଂ ରଣନୈତିକ ଏଜେନ୍ସିକୁ ହସ୍ତାନ୍ତର କରାଯିବ। ଏଥିପାଇଁ ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ (ଏସଆଇଏ) ଆରମ୍ଭ ହୋଇଯାଇଛି। ଏହା ଦୁଇ ମାସ ମଧ୍ୟରେ ଶେଷ ହେବ। ଏହା ମଧ୍ୟରେ ଲୋକଙ୍କୁ କ୍ଷତିପୂରଣ ଦେଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ଅଧ୍ୟୟନ କରାଯିବ। ଗ୍ରାମସଭା ମଧ୍ୟ କରାଯିବ। ତେବେ ନୂଆ ଆଇନରେ ଏହା ନ କରି ଜମି ଅଧିଗ୍ରହଣ କରିବାର ମଧ୍ୟ ବ୍ୟବସ୍ଥା ରହିଛି।

ସୂଚନା ଅନୁଯାୟୀ ଲାକ୍ଷାଦ୍ବୀପର ଜନବସତି ପୂର୍ଣ୍ଣ ୧୦ ଦ୍ବୀପ ମଧ୍ୟରୁ ବିତ୍ରା ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳ ଆରବ ସାଗରରେ ୩୨ ସ୍କୋୟାର କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହା କୋଚି ଉପକୂଳରୁ ପ୍ରାୟ ୨୨୦ରୁ ୪୪୦ କିମି ମଧ୍ୟରେ ରହିଛି। ଏଠାରେ ଭାରତୀୟ ନୌସେନାର ସର୍ଦର୍ଣ୍ଣ ନାଭାଲ କମାଣ୍ଡ ମଧ୍ୟ ରହିଛି। ବିତ୍ରା ଦ୍ବୀପ ପ୍ରାୟ ୯୧, ୭୦୦ ସ୍କୋୟାର ମିଟର (୦.୦୯୧ ସ୍କୋୟାର କିମି) ପର୍ଯ୍ୟନ୍ତ ବ୍ୟାପିଛି। ଏଠାରେ ପ୍ରାୟ ୩୫୦ ଲୋକ ରହୁଛନ୍ତି। ତେବେ ମାଛମାରି ଜୀବିକା ଅର୍ଜନ କରୁଥିବା ସ୍ଥାନୀୟ ଅଧିବାସୀ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି। ଏହା ଦ୍ବାରା ଜୀବିକା ଉପରେ ପ୍ରଭାବ ପଡ଼ିବ ବୋଲି ଲୋକେ ଭାବୁଛନ୍ତି। ସ୍ଥାନୀୟ ସାଂସଦ ହମଦୁଲ୍ଲା ସୈଦ ମଧ୍ୟ ଏହି ପଦକ୍ଷେପ ବିରୋଧରେ ଛିଡ଼ା ହୋଇଛନ୍ତି। ଆବଶ୍ୟକ ପଡ଼ିଲେ ଲୋକେ କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।