Photo for the news of water

ONN ପ୍ରଭାବ: ଖବର ପ୍ରକାଶ ପରେ ଜଳଯୋଗାଣ ସ୍ୱାଭାବିକ ହେଲା

ରାଜ୍ୟ

ଆଗରପଡ଼ା :ଗତ ୪ ତାରିଖ ଶୁକ୍ରବାର “ଅଧିକାରୀଙ୍କ ମନମାନିରେ ଜଳଯୋଗାଣ ଚାଲିଛି;ପଂଚାୟତବାସୀ ବିଶୁଦ୍ଧ ଜଳ ପାଇବାରୁ ବଂଚିତ”ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ବରହମପୁର ଗ୍ରାମରେ ଅଚଳ ହୋଇପଡ଼ିଥିବା ଜଳ ଯୋଗାଣ ବିଭାଗୀୟ ମରାମତି ପରେ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି । କିନ୍ତୁ ଅନ୍ୟ ଗ୍ରାମର ବାସିନ୍ଦା ବସୁଧା ଯୋଜନାରେ କେବେ ବିଶୁଦ୍ଧ ଜଳ ପାଇବେ ଦେଖିବାକୁ ବାକି ରହିଲା । ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବସୁଧା ଯୋଜନାରେ ବିଟିପୁର ପଂଚାୟତରେ ବିଟିପୁର,ରାଉତରାପୁର ଓ ବରହମପୁର ଗ୍ରାମରେ ପ୍ରକଳ୍ପ ନିର୍ମାଣ ହୋଇଛି । କିଛି ଦିନ ହେବ ବରହମପୁର ଗ୍ରାମରେ ନିର୍ମାଣ ହୋଇଥିବା ପ୍ରକଳ୍ପରେ ନିମ୍ନମାନର ପାଇପ୍ ବିଛା ଯାଇଥିବାରୁ ଏହା ବିଭିନ୍ନ ସ୍ଥାନରେ ଫାଟି ଯିବା ଯୋଗୁଁ ବିଶୁଦ୍ଧ ଜଳ ପାଇବାରୁ ଲୋକେ ବଂଚିତ ହୋଇ ଆସୁଥିଲେ । ଅପରପକ୍ଷରେ ଉକ୍ତ ଫଟା ପାଇପରେ ବାହାର ପାଣି ମିଶି ଡ଼ାଇରିଆ ପରି ବିଭିନ୍ନ ରୋଗର ଆଶଙ୍କା କରି ଲୋକେ ଏହାର ମରାମତି ପାଇଁ ଅଭିଯୋଗ ଆଣିଥିଲେ । ଅଭିଯୋଗ ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗଯୋଗ କରାଯାଇଥିଲା । ସେ ଏହାର ମରାମତି ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ଏକ ସପ୍ତାହ ବିତି ଯିବା ପରେ ସୁଦ୍ଧା ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ନପାରିବାରୁ ବିଭାଗୀୟ ଅଧିକାରଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିଥିଲା । ଏହି ସମସ୍ୟାର ମରାମତି ପରେ ସମାଧାନ ହୋଇଥିଲେ ସୁଦ୍ଧା ବିଟିପୁର ଗ୍ରାମବାସୀ ଆଜି ସୁଦ୍ଧା ଠିକ୍ ଭାବେ ପାଣି ପାଇ ପାରୁ ନାହାନ୍ତି । ରାଉତରାପୁର ଗ୍ରାମରେ ନିର୍ମାଣ ହୋଇଥିବା ଟାଙ୍କି ଉପରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମକୁ ମଧ୍ୟ ଜଳଯୋଗାଣ ଠିକ୍ ଭାବେ ହୋଇପାରୁନାହିଁ । ତେଣୁ ସମସ୍ୟାରେ ଥିବା ଗ୍ରାମକୁ ଯଥା ଶୀଘ୍ର ବସୁଧା ଯୋଜନାରେ ବିଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଛି ।