ଆଗରପଡ଼ା :ଆଗରପଡ଼ା ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଦୁରାବସ୍ଥାରେ ସୁଧାର ଆଣିବା ନେଇ ପ୍ରଶାସନ ପକ୍ଷରୁ ଆସନ୍ତା ୧୩ ତାରିଖ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ୧୪ ତାରିଖ (ସୋମବାର) କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯିବ ବୋଲି ଆଗରପଡ଼ା ସ୍ଥିତ ଇଲେଭେନଷ୍ଠାର କ୍ଲବ ପରିସରରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ ସୂଚନା ଦେଇଛନ୍ତି । ଏଥିରେ ସରପଂଚ ସବିିତା ନାୟକ, ପ୍ରାକ୍ତନ ସରପଂଚ ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, କାଳିଆ ନାୟକ, ଚିତ୍ତରଂଜନ ସାମନ୍ତରାୟ, ବାଙ୍କବିହାରୀ ଜେନା ପ୍ରମୁଖ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଏବଂ ଏକମାତ୍ର ଐତିହାସିକ କର୍ମମନ୍ଦିର ଆଗରପଡ଼ା ଠାରେ ଅବସ୍ଥିତ ଥିବାରୁ ଉକ୍ତ ଅଂଚଳ ଓଡ଼ିଶା ତଥା ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ଏହି ଅଂଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଯଥା- ଜିଲ୍ଲା ସଦର ମହକୁମାକୁ ଯିବା ପାଇଁ ଆଗରପଡ଼ା-ବରପଦା ରାସ୍ତା, ବ୍ଲକ ଓ ତହସିଲ ଯିବା ପାଇଁ ଆଗରପଡ଼ା-ବନ୍ତ ରାସ୍ତା, ପଡ଼ୋଶୀ ଜିଲ୍ଲା କେନ୍ଦୁଝର ଯିବା ପାଇଁ ଆଗରପଡ଼ା-ଆନନ୍ଦପୁର ରାସ୍ତା ଏବଂ ବାଲେଶ୍ୱର ଜିଲ୍ଲାକୁ ଯିବା ପାଇଁ ଆଗରପଡ଼ା-କୁପାରୀ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ଏବଂ ରାସ୍ତା ଗୁଡ଼ିକ ମରଣଯନ୍ତା ପାଲଟିଛି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମୁଖ୍ୟ ବଜାର ଉପରେ ଆମ ଜିଲ୍ଲା ତଥା ପଡ଼ୋଶୀ ବାଲେଶ୍ୱର ଓ କେନ୍ଦୁଝର ଏହିପରି ପାଖାପାଖି ୩ ଗୋଟି ଜିଲ୍ଲାର ଅଧିବାସୀ ନିର୍ଭର କରିଥାନ୍ତି । ରାସ୍ତା ସମସ୍ୟାକୁ ନେଇ ବାରମ୍ବାର କଂଗ୍ରେସ ଦଳର ନେତୃତ୍ୱମାନେ ପ୍ରଶାସକଙ୍କ ପାଖରେ ନିଜର ଦାବି ରଖି ଆସୁଥିଲେ । କିଛିଦିନ ତଳେ ଆଗରପଡ଼ା-ବରପଦା ରାସ୍ତାର ମରାମତି କରାଯାଇଥିଲେ ସୁଦ୍ଧା ଏହା ନିମ୍ନମାନର ହୋଇଥିବାରୁ ପୁଣି ସେହି ରାସ୍ତା ଶୋଚନୀୟ ହେବା ସହ ଯାତାୟତ ଆଉ ସମ୍ଭବ ହୋଇପାରୁ ନାହିଁ । ତେଣୁ ପ୍ରଶାସନ ଉକ୍ତ ଘଟଣାଟିକୁ ସକରାତ୍ମକ ଭାବରେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥ୍ôବା ପ୍ରକାଶ କରିଥିଲେ ।
