ମହାକାଶରୁ ଶତ୍ରୁକୁ ଜଗିବ ଭାରତ, ଲଞ୍ଚ୍‌ ହେବ ୫୨ ମିଲିଟାରୀ ସାଟେଲାଇଟ୍

ଦେଶ - ବିଦେଶ

ନୂଆଦିଲ୍ଲୀ: ମହାକାଶରୁ ଶତ୍ରୁକୁ ଜଗିବ ଭାରତ । ଲଞ୍ଚ୍‌ ହେବ ୫୨ ମିଲିଟାରୀ ସାଟେଲାଇଟ୍।  ଶତ୍ରୁ ଦେଶରର ଗତିବିଧି ଉପରେ ରଖିବ ନଜର। ଅପରେସନ୍ ସିନ୍ଦୁର ସମୟରେ ଭାରତର ଇଲେକ୍ଟ୍ରୋନିକ୍ ଯୁଦ୍ଧ ସରଞ୍ଜାମ, ସିଗ୍ନାଲ ଜାମିଂ ଏବଂ ରାଡାର ଟେକ୍ନୋଲୋଜି ଦେଖିଥିଲା ସାରା ବିଶ୍ୱ। ୨୨ ମିନିଟ୍ ପାଇଁ ପାକିସ୍ତାନର ପ୍ରତିରକ୍ଷା ପ୍ରତିଷ୍ଠାନର ସମ୍ପୂର୍ଣ୍ଣ ସିଗ୍ନାଲକୁ ଜାମ୍ କରିଦେଇଥିଲା ଭାରତ। ପାକିସ୍ତାନରର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା ଭାରତୀୟ ବାୟୁସେନା। ଭାରତର ମିଲିଟାରୀ ସାଟେଲାଇଟ ମହାକାଶରେ ଥିବାରୁ ଏହା ସମ୍ଭବ ହୋଇଥିଲା। ଏବେ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରିବ ଭାରତ। ଚୀନ୍, ପାକିସ୍ତାନ ଉପରେ କଡା ନଜର ରଖିବ ଭାରତର ସାଟେଲାଇଟ୍‌।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟିରେ ସ୍ପେସ୍-ବେସଡ୍ ସର୍ଭିଲାନ୍ସ ପ୍ରୋଗ୍ରାମକୁ ଗତ ବର୍ଷ ମଞ୍ଜୁରୀ ମିଳିଥିଲା । ଏଥିରେ ୨୬,୯୬୮ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତିରକ୍ଷା ବିଭାଗର ଡିଫେନ୍ସ ସ୍ପେସ୍ ଏଜେନ୍ସି ଜରିଆରେ ଏହି ପ୍ରୋଗ୍ରାମ କରାଯିବ। ଇସ୍ରୋ ୨୧ଟି ସାଟେଲାଇଟ୍ ଓ ୩ଟି ଘରୋଇ କଂପାନୀ ୩୧ଟି ସାଟେଲାଇଟ୍ ନିର୍ମାଣ କରିବେ । ଆସନ୍ତା ବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରଥମ ସାଟେଲାଇଟ୍ ଲଞ୍ଚ ହେବ । ୨୦୨୯ ମସିହା ସୁଦ୍ଧା ୫୨ଟି ଯାକ ସାଟେଲାଇଟ୍ କାର୍ଯ୍ୟକ୍ଷମ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଗରୁ ଧାର୍ଯ୍ୟ ହୋଇଥିବା ସମୟ ଠାରୁ କେତେ ଶୀଘ୍ର ଏହି କାର୍ଯ୍ୟ ହୋଇପାରିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି । କଣ୍ଟ୍ରାକ୍ଟ ନେଇଥିବା କଂପାନୀଗୁଡିକ ଶୀଘ୍ର କାମ ସାରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ସମନ୍ୱିତ ପ୍ରତିରକ୍ଷା କର୍ମଚାରୀ ଏହି ପ୍ରକଳ୍ପର ତଦାରଖ କରୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଭାରତର ରଣନୈତିକ ସ୍ଥିତିକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି।

ଏହି ସାଟେଲାଇଟ ଉପଗ୍ରହ ଉତକ୍ଷେପଣର ଉଦ୍ଦେଶ୍ୟ ହେଉଛି ଚୀନ୍, ପାକିସ୍ତାନ ଏବଂ ଭାରତ ମହାସାଗର ଅଞ୍ଚଳରେ କଭରେଜ୍ ଉନ୍ନତ କରିବା, ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ତ୍ୱରିତ କରିବା ପାଇଁ ସ୍ପଷ୍ଟ ଚିତ୍ର ପାଇବା। ଏହି ଉପଗ୍ରହଗୁଡ଼ିକ ଶତ୍ରୁ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଉନ୍ନତ କ୍ଷମତା ପ୍ରଦାନ କରି ସେନା, ନୌସେନା ଏବଂ ବାୟୁସେନାକୁ ସହାୟତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଅପରେସନ୍ ସିନ୍ଦୁର ସମୟରେ ଶତ୍ରୁ ଗତିବିଧି ଉପରେ ନଜର ରଖିବା ପାଇଁ କାର୍ଟୋସାଟ୍ ଭଳି ସ୍ୱଦେଶୀ ଓ ବିଦେଶୀ ସାଟେଲାଇଟ ଉପରେ ନିର୍ଭର କରିଥିଲା ଭାରତ। କିନ୍ତୁ ବିଦେଶୀ ଉପଗ୍ରହରୁ ପ୍ରାପ୍ତ ଇନପୁଟ ଗୁଡ଼ିକର ସୀମା ରହିଛି। ଭାରତୀୟ ବାୟୁସେନା ଉଚ୍ଚ ଉଚ୍ଚତାରେ କାର୍ଯ୍ୟ କରିପାରୁଥିବା ସୁଡୋ ସାଟେଲାଇଟ୍ ହାସଲ କରିବାକୁ ଯୋଜନା କରୁଛି। ଏହି ସୁଡୋ ସାଟେଲାଇଟ୍ ଭାରତକୁ ଗୁପ୍ତଚର, ନିରୀକ୍ଷଣ, ଯାଞ୍ଚ ମିଶନରେ ସାହାଯ୍ୟ କରିବ। ହାଇ ଅଲିଚ୍ୟୁଡ୍‌ ସୁଡୋ ସାଟେଲାଇଟ୍ (HAPS) ହେଉଛି ମାନବହୀନ ବାୟୁଯାନ (UAV)। ଏହା ସାଟେଲାଇଟ୍‌ ପରି କାର୍ଯ୍ୟ କରେ।

ଏହା ମୁଖ୍ୟତଃ ସାମରିକ, ଗୁପ୍ତଚର, ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ ଉପଯୋଗୀ। ସାଟେଲାଇଟ୍‌ଗୁଡ଼ିକ ହାଇ-ରିଜୋଲ୍ୟୁସନ୍‌ କ୍ୟାମେରା, ରାଡାର, ଇନଫ୍ରାରେଡ୍ ସେନ୍ସର ଏବଂ ଅନ୍ୟାନ୍ୟ ଉପକରଣ ସହିତ ସଜ୍ଜିତ, ଯାହା ହାଇରିଜୋଲ୍ୟୁସନ ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରେ। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ତଥ୍ୟ ଦ୍ୱାରା ଲକ୍ଷ୍ୟ ଚିହ୍ନଟ କରିପାରିବେ ଓ ଶତ୍ରୁପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ।