ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । “ଧାରଣକ୍ଷମ ବିକାଶ ଲକ୍ଷ୍ୟ ହାସଲ କରିବାରେ ପ୍ରାଣୀ ବିଜ୍ଞାନ ଗବେଷଣାର ଭୂମିକା” ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଧାରଣକ୍ଷମ ବିକାଶ କେବଳ ଅଭିଧାନର ଏକ ଶବ୍ଦ ହୋଇରହିଯାଇଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନର ନୂତନ ଶିକ୍ଷାନୀତିର ଅନୁସରଣରେ ଗବେଷଣାରେ ବିଭାଗୀକରଣ ଓ ବିଶେଷଜ୍ଞତା ନ ରହି ଆନ୍ତଃବିଷୟିକ ତଥା ବହୁବିଧ ବିଷୟ ଦିଗକୁ ଗତି କରିବ ବୋଲି ଦୃଢ଼ୋକ୍ତି କରିଥିଲେ । ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ନିଜ ବକ୍ତବ୍ୟରେ ଧାରଣକ୍ଷମ ବିକାଶ ଲକ୍ଷ୍ୟ ଦିଗରେ ବିଭାଗର ପଦକ୍ଷେପକୁ ଭୂୟସୀ ପ୍ରଂଶସା କରିବା ସହ ସୃଜନଶୀଳତା ହିଁ ସକଳ ଜ୍ଞାନର ମୂଳ ଆଧାର ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁଶୀଳ କୁମାର ଦତ୍ତ ଯୋଗଦେଇ ଓଡ଼ିଶାରେ ପ୍ରାଣୀ ବିଜ୍ଞାନ ଗବେଷଣାର ଇତିହାସ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ଓ ଆଜିକାଲି ପ୍ରାଣୀ ବିଜ୍ଞାନରେ ଉନ୍ନତମାନର ଗବେଷଣା ବିରଳ ହୋଇପଡ଼ିଛି ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ, ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ବିଭାଗୀୟ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ ।
ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦିକା ଡ. ଗାର୍ଗୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା, ଡ. କୁକୁ ମହାପାତ୍ର, ଅଧ୍ୟାପିକା ଫୌଜିଆ ମୁନାୱର, ଲ୍ୟାବ୍ ଟେକନିସିଆନ୍ ଜ୍ୟୋତିପ୍ରଜ୍ଞା ମାଝୀ ପ୍ରମୁଖ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ “ଆଡ୍ଭାନ୍ସ୍ମେଣ୍ଟ୍ ଇନ୍ ଜୁଲୋଜିକାଲ୍ ରିସର୍ଚ୍ଚ”ର ଉନ୍ମୋଚନ ହୋଇଥିଲା । ଏହି ଆଲୋଚନାଚକ୍ରରେ ବକ୍ତା ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସଞ୍ଜତ କୁମାର ସାହୁ, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ପ୍ରିୟଞ୍ଜା ହାଲଦାର ମଲ୍ଲିକ, କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ସି. ଆର. ସାହୁ, ଆସାମ ବୋଡ଼ୋଲାଣ୍ଡ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ହିଲ୍ଲୋଳଜ୍ୟୋତି ସିଂହା, ସହଯୋଗୀ ପ୍ରଫେସର ଡ. କୁଶଳ ଚୌଧୁରୀ, ଓୟୁଏଟିର ପୂର୍ବତନ ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟ, ତ୍ରିପୁରା ବିଶ୍ୱବିଦ୍ୟାଳୟର ଡ. ବ୍ରୋନ୍ସନ୍ କୁମାର, ଭାରତୀୟ ପ୍ରାଣୀ ସର୍ବେକ୍ଷଣର ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବିଷ୍ଣୁପ୍ରସାଦ ଦାସ, ପ୍ରଫେସର ଭାସ୍କର ବେହେରା, ଡ. ମନୋଜିତ ଭଟ୍ଟାଚାର୍ଯ୍ୟ, ଡ. ଭାରତ ଭୂଷଣ ପଟ୍ଟନାୟକ, ଡ. ନୀଳାଦ୍ରିଭୂଷଣ କର ପ୍ରମୁଖ ଯୋଗଦେଉଛନ୍ତି । ଆଲୋଚନାଚକ୍ରରେ ୮୦ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରୁଛନ୍ତି ଓ ୧୬୮ ଜଣ ଅଂଶଗ୍ରହଣକାରୀ ଭାଗନେଉଛନ୍ତି । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
