ମାର୍ଚ୍ଚ ୧୯ରେ ମହାକାଶରୁ ଫେରିବେ ସୁନିତା

ଦେଶ - ବିଦେଶ

ଫ୍ଲୋରିଡା : ଦୀର୍ଘ ଆଠ ମାସ ଧରି ଆଇଏସ୍‌ଏସ୍‌ରେ ରହିବା ପରେ ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ମାର୍ଚ୍ଚ ୧୯ରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ସୁନିତା ଓ ସାଥୀ ମହାକାଶଚାରୀ ବୁଚ୍‌ ୱିଲମୋରଙ୍କୁ ଫେରାଇ ଆଣିବାକୁ ମାର୍ଚ୍ଚ ୧୨ରେ ‘ଡ୍ରାଗନ’ ମହାକାଶ ଯାନକୁ ପଠାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଆଇଏସ୍‌ଏସ୍‌ ସହ ଡକିଂ ପ୍ରକ୍ରିୟା ଶେଷ ହେବାପରେ ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟ ସମ୍ପାଦନ ପାଇଁ ଅତିକମରେ ଏକ ସପ୍ତାହ ସମୟ ଲାଗିବ। ସୁନିତା ବର୍ତ୍ତମାନ ଆଇଏସ୍‌ଏସ୍‌ର କମାଣ୍ଡର ଦାୟିତ୍ବ ତୁଲାଉଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ଜୁନ୍‌ରେ ସୁନିତା ଓ ୱିଲମୋର ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ରହିବା ପରେ ସେମାନେ ପୃଥିବୀ ପୃଷ୍ଠକୁ ଫେରିବା କଥା। ତେବେ ଷ୍ଟାରଲାଇନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଅସମ୍ଭବ ହୋଇପଡିଥିଲା। ଫଳରେ ଷ୍ଟାରଲାଇନରକୁ ବିନା ମହାକାଶଚାରୀରେ ଫେରାଇ ଅଣାଯାଇଥିଲା।