191fb5be 06ae 4032 b268 497e63f599a9

ଆଧ୍ୟାତ୍ମିକତା ହିଁ ମନରୁ ନକରାତ୍ମକତା ଦୂର କରି ଶାନ୍ତି ଓ ଆନନ୍ଦ ପ୍ରଦାନ କରେ: ୟୁନିଟ୍-୨ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂଜ୍ୟ ପୂଜା ଓଡ଼ିଶାର କାର୍ଯ୍ୟକ୍ରମ

BREAKING NEWS

ଭୁବନେଶ୍ୱର, ୧୬ା୧  : ଆଧ୍ୟାତ୍ମିକ ଜୀବନ ଯାପନ କଲେ ମନରୁ ସମସ୍ତ ପ୍ରକାର ନକରାତ୍ମକ ଭାବ ଦୂର ହୋଇଥାଏ। ଏହା ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ କରିବା ସହ ଜୀବନକୁ ଶାନ୍ତି ଓ ଆନନ୍ଦମୟ କରି ଗଢ଼ିତୋଳେ। ସ୍ଥାନୀୟ ୟୁନିଟ୍-୨ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଏହି ମର୍ମରେ ମତବ୍ୟକ୍ତ କରିଛନ୍ତି।

1

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା କୁମାରୀ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ପୂଜ୍ୟ ପୂଜା ଓଡ଼ିଶା’ର ସମ୍ପାଦକ ତଥା ବିଶିଷ୍ଟ ସାରସ୍ୱତ ସଂଗଠକ ରମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଓ ଆଲୋଚକ ଭାବେ ଯୋଗ ଦେଇଥିଲେ। ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆଧ୍ୟାତ୍ମିକତା କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଏକ ଉନ୍ନତ ଜୀବନ ଶୈଳୀ। ବିଭିନ୍ନ ଉଦାହରଣ ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କୁ ଗୀତା ଓ ଭାଗବତ ପରି ମହାନ ଗ୍ରନ୍ଥ ପଠନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଧର୍ମଗ୍ରନ୍ଥ ଗୁଡ଼ିକ ମଣିଷକୁ ସଂଘର୍ଷ ସମୟରେ ଧୈର୍ଯ୍ୟବାନ ହେବାକୁ ଶିକ୍ଷା ଦେଇଥାଏ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଓଡ଼ିଶାର ମହାନ ସଂସ୍କୃତି ଓ ମନୀଷୀମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶୂଦ୍ରମୁନି ସାରଳା ଦାସ, ଉତ୍କଳର ପଞ୍ଚସଖା, ସତ୍ୟବାଦୀ ପଞ୍ଚସଖା ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନ ଦର୍ଶନ ଉପରେ ଶ୍ରୀ ମିଶ୍ର ସୁବିସ୍ତୃତ ଆଲୋକପାତ କରିଥିଲେ। ଏହି ମହାନାୟକମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତି ଗଠନରେ ନିଜକୁ ନିୟୋଜିତ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜୀବନରେ ସଫଳତା ହାସଲ କରିବା ପାଇଁ ତିନୋଟି ମୁଖ୍ୟ ସୂତ୍ର – ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଓ କଠିନ ପରିଶ୍ରମର ଅତ୍ୟନ୍ତ ଆବଶ୍ୟକତା ଅଛି ବୋଲି ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟତ୍ରୀ କଲ୍ୟାଣୀ ମିଶ୍ର ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ପରିଶେଷରେ ଶିକ୍ଷୟତ୍ରୀ ସୁଷମା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିଦେଇଥିବା ଲକ୍ଷ୍ୟ କରାଯାଇଛି।

Shrutilipi ad