ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମୱାର୍କ

ରାଜ୍ୟ

ଭୁବନେଶ୍ୱର: ଆସନ୍ତା ମେ’ ୬ ତାରିଖରୁ ସମସ୍ତ ସ୍କୁଲ ଖରା ଛୁଟି ହେବା ନେଇ ଘୋଷଣା ହୋଇସାରିଛି। ମେ ୬ ତାରିଖରୁ ଜୁନ ୧୯ ତାରିଖ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି। ହେଲେ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ (ହୋମୱାର୍କ)। ପିଲାମାନେ ଯେପରି ନିଜ ପାଠପଢ଼ାରେ ନିୟୋଜିତ ହେବେ ସେଥିପାଇଁ ଅଭିଭାବକଙ୍କୁ ସଚେତନ କରାଯିବ।

ଦିଆଯାଇଥିବା ଗୃହକାର୍ଯ୍ୟକୁ ଠିକ୍‌ ସମୟରେ କରିବେ। ଆବଶ୍ୟକ ସ୍ଥଳେ ଶିକ୍ଷକଙ୍କ ସହାୟତା ନେବେ। ସ୍କୁଲ ଛୁଟି ପୂର୍ବରୁ ଶ୍ରେଣୀୱାରୀ ପିଲାଙ୍କ ଅଭିଭାବକଙ୍କ ମୋବାଇଲ୍‌ ନମ୍ବରକୁ ନେଇ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କରାଯିବ। ଏପରି ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଆଲୋଚନା ହେବ।

ଏହି ଖରା ଛୁଟି ସମୟକୁ ପିଲାମାନେ ସଦୁପଯୋଗ କରିବା ସହ ପାଠ୍ୟକ୍ରମ ସହ ସଂଯୁକ୍ତ ରହିବେ। ଯେଉଁ ସବୁ ଟାସ୍କ ଦିଆଯିବ ସେ ସବୁକୁ ଏହି ଛୁଟି ସମୟରେ ପୂରା କରିବେ। ଅଭିଭାବକଙ୍କୁ ଶିକ୍ଷକ ହ୍ୱାଟସ୍‌ଆପ୍‌ ଜରିଆରେ ଭିଡିଓ ଆଧାରିତ ଶିକ୍ଷଣ କାର୍ଯ୍ୟ ପଠାଇବେ। ଅଭିଭାବକମାନେ ପିଲାଙ୍କୁ ପାଖରେ ବସାଇ ଭିଡିଓ ମାଧ୍ୟମରେ ଆସିଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଉତ୍ସାହିତ କରିବେ। ସ୍ମାର୍ଟଫୋନ୍‌ ନଥିଲେ କି-ପ୍ୟାଡ୍‌ ଫୋନ୍‌ ଜରିଆରେ ଶିକ୍ଷଣ କାର୍ଯ୍ୟ ମେସେଜ୍‌ କିମ୍ବା ଅଡିଓ ମାଧ୍ୟମରେ ଦିଆଯିବ।

ଯଦି କୌଣସି ଅଭିଭାବକଙ୍କର ଫୋନ୍‌ ନଥିବ ସେମାନେ ପଡ଼ୋଶୀ କିମ୍ବା ସାଙ୍ଗସାଥିଙ୍କ ସହ ମିଶି ଫୋନ୍‌ରେ ଆସୁଥିବା ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବେ। ଖରାଛୁଟିରେ ପିଲାମାନେ କରିଥିବା ଶିକ୍ଷଣ କାର୍ଯ୍ୟ ସ୍କୁଲ ଖୋଲିଲେ ଶିକ୍ଷକଙ୍କ ନିକଟରେ ଦାଖଲ କରିବେ। ଏନେଇ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଶିକ୍ଷକ-ଅଭିଭାବକ ବୈଠକରେ ଆଲୋଚନା କରାଯିବ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଭିଭାବକଙ୍କୁ ଉତ୍ସାହିତ କରାଯିବ।

Shrutilipi ad