ବାରିପଦା: ବାରିପଦା କଳାକାର ପରିବାର ତରଫରୁ ଚଳିତ ମାସ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ପ୍ରଥମଥର ପାଇଁ ବାରିପଦା କଳାକାର ପରିବାରର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ୬ ଦିନିଆ ନାଟକ ମହୋତ୍ସବର ୧ମ ସନ୍ଧ୍ୟାରେ ସୋମନାଥ ସାହୁଙ୍କ ରଚିତ ଓ ମହେଶ ସାହୁଙ୍କ ନିର୍ଦ୍ଦେଶିତ ନାଟକ “ଜୀବନ ଜଳୁଛି”, ୨ୟ ସନ୍ଧ୍ୟାରେ ପ୍ର: ନାରାୟଣ ସାହୁଙ୍କ ରଚିତ ଓ ରତିକାନ୍ତ ବେହେରାଙ୍କ ନିର୍ଦ୍ଦେଶିତ ନାଟକ “କଏଦୀ ନମ୍ବର ୩୦୨” ୩ୟ ସନ୍ଧ୍ୟାରେ ଇନ୍ଦୁଭୂଷଣ କାନୁନଗୋଙ୍କ ରଚିତ ଓ ଅନ୍ନଦା ଶଙ୍କର ଦାଶଙ୍କ ନିର୍ଦ୍ଦେଶିତ ନାଟକ “ଅଭିଶପ୍ତ ଆୟୁଷ”, ୪ର୍ଥ ସନ୍ଧ୍ୟାରେ ଡଃ କୁମରମାଣି ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ଶୁନ୍ୟ ଇଲାକାର ପକ୍ଷୀ”, ୫ମ ସନ୍ଧ୍ୟାରେ ଡଃ ସଞ୍ଜୟ ହାତୀଙ୍କ ରଚିତ ଓ ଧୀର ବଶାଙ୍କ ନିର୍ଦ୍ଦେଶିତ ନାଟକ “ମଞ୍ଚମାୟା”, ଏବଂ ଶେଷ ସନ୍ଧ୍ୟାରେ ଗୋକୁଳ ଚନ୍ଦ୍ର ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ସାର ଭୁଲ ହୋଇଗଲା” ମଞ୍ଚସ୍ଥ ହେବ ବୋଲି ସଂସ୍ଥାର ଉପଦେଷ୍ଟା ଚିନ୍ମୟ ଦାସ ପଟ୍ଟନାୟକ ଜଣାଇଛନ୍ତି I ବାରିପଦା କଳାକାର ପରିବାରର ସଭାପତି ଧୀର ବଶାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପ ସଭାପତି ଅନ୍ନଦା ଶଙ୍କର ଦାଶ ଓ ପ୍ରକାଶ ଦାଶ ତଥା ସମ୍ପାଦକ ଅସିତ କୁମାର ଗିରି, କୋଷାଧକ୍ଷ ରଣଜିତ କୁମାର ସାହୁ ଏବଂ ସଦସ୍ୟ ଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଅନ୍ୟତମ ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି ନାଟକ ମହୋତ୍ସବର ସଫଳତା କାମନା କରିବା ସହ ବହୁ ସଂଖ୍ୟାରେ ଉପସ୍ଥିତ ରହି ନାଟକ ଦେଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି I

