ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ
ଆଗରପଡ଼ା :ରାଜ୍ୟ ଖାଉଟି ଅଧିକାରୀଙ୍କ ଆଦେଶକୁ ଅବମାନନା କରିଥିବାରୁ ଏକ ଘରୋଇ କମ୍ପାନୀର ସହକାରୀ ଶାଖା ପରିଚାଳକ ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ବିରୁଦ୍ଧରେ ଭଦ୍ରକ ଜିଲ୍ଲା ଖାଉଟି ଅଦାଲତ ପକ୍ଷରୁ ଗିରଫ ପରୱାନା ଜାରୀ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କେଉଁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସୋସୋ ଗ୍ରାମର ବିଶ୍ୱନାଥ ରାଉତ(୪୪) ଏକ ଘରୋଇ କମ୍ପାନୀ(ଏରିସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ଼)ବିରୁଦ୍ଧରେ ଏକ ଟ୍ରକ କିଣା ବିକା ମାମଲରେ ୨୦୨୩ ମସିହାରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଶ୍ରୀ ରାଉତଙ୍କ ଅଭିଯୋଗକୁ ଅଦାଲତ ଗ୍ରହଣ କରିବା ସହ ବିଚାର କରିଥିଲେ । ଏବଂ ୨୦୨୩ ମସିହା ଅକ୍ଟୋବର ମାସ ୫ ତାରିଖରେ ରାଜ୍ୟ ଖାଉଟି ଅଧିକାର ଅଭିଯୋଗକାରୀ ଓ ଅଭିଯୁକ୍ତ ଉଭୟ ପକ୍ଷଙ୍କ ଦାବିକୁ ବିଚାରକୁ ନେଇ ଏକ ଆଦେଶନାମା ଜାରୀ କରିଥିଲେ । କୋର୍ଟଙ୍କ ଆଦେଶ ଅନୁସାରେ ଶ୍ରୀ ରାଉତଙ୍କୁ ୧,୫୦,୦୦୦(ଏକ ଲକ୍ଷ ପଚାଶ ହଜାର) ଘରୋଇ କମ୍ପାନୀକୁ ଦେବା ସହ ଉକ୍ତ ଅର୍ଥ ପ୍ରାପ୍ତ କରିବା ପରେ କମ୍ପୀନୀ ଶ୍ରୀ ରାଉତଙ୍କ ଟ୍ରକକୁ ତାଙ୍କୁ ଫେରସ୍ତ କରିବାକୁ ଆଦେଶ ଜାରୀ କରିଥିଲେ । କୋର୍ଟଙ୍କ ଆଦେଶାନୁସାରେ ଗତ ଜୁନ ମାସ ୧୦ ତାରିଖରେ ଶ୍ରୀ ରାଉତ ଆଦେଶ ଅର୍ଥ ଡ୍ରାଫ୍ଟ ଆକାରରେ ଜିଲ୍ଲା ଖାଉଟି ଅଦାଲତ ଭଦ୍ରକଙ୍କ ଠାରେ ଜମା କରିଥିଲେ । ଅର୍ଥ ଜମା କରିବାର ୨ମାସ ପରେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗତ ଅଗଷ୍ଟ ମାସ ୧୩ ତାରିଖରେ କୋର୍ଟ ଉକ୍ତ ମାମଲା ଉପରେ ବିଚାର କରିଥିଲେ ଏବଂ ଶୁଣାଣି ବେଳେ ଉକ୍ତ ଟ୍ରକଟିକୁ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟ କାହାକୁ ବିକ୍ରୀ କରିଦେଇଥିବା ଜାଣିବାକୁ ପାଇଥିଲେ । ତେଣୁ ରାଜ୍ୟ ଖାଉଟି ଅଧିକାର,କଟକଙ୍କ ଆଦେଶକୁ ସୂଚାରୁ ରୁପେ ପ୍ରତିପାଦନ କରିନଥିବାରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରୀ କରିବା ସହ ଭଦ୍ରକ ଖାଉଟି ଅଦାଲତରେ ହାଜର କରିବାକୁ ଥାନା ଅଧିକାରୀ(ଜୋରସାଙ୍କୋ ଥାନା,କଲକାତା-୭)ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

