ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଜିଲ୍ଲା ପ୍ରଶାସନ ତରଫରୁ ୯୦ତମ ଓଡିଶା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି |
ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ.୦୪-୩୦ ମିନିଟ ସମୟରେ ବାରିପଦା ଜିଲ୍ଲା ସୂଚନା ଓ ଲୋକ କାର୍ଯ୍ୟାଳୟ ତରଫରୁ ବାରିପଦା ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯାଇଥିଲା. ପ୍ରାତଃ ୦୮ ଘଟିକା ସମୟରେ ସହରରେ ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ସାମୁହିକ ମାଲ୍ୟାର୍ପଣ ଅନୁଷ୍ଠିତ ହୋଇଥିଲା। ଉକ୍ତ ମାଲ୍ୟାର୍ପଣ କାଯ୍ୟକ୍ରମ ରେ ଦିବସର ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡିଶା ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦାନ କରି ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ନଗରପାଳ ଶ୍ରୀ କୃଷ୍ଣlନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ପୌରପାଳିକା କାଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେଵୀ ପ୍ରସାଦ ରାଉତ ଓ ଅନ୍ୟାନ୍ୟ ପଦାଧିକାରୀ, ଶ୍ରୀ କାନ୍ଦ୍ରା ସୋରେନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ରଜନୀ କାନ୍ତ ବିଶ୍ୱାଳ,ଜି .ପି. ଶ୍ରୀ ହିମାଂଶୁ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭାଗବତ ପ୍ରସାଦ ପଣ୍ଡା, ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ।
ସନ୍ଧ୍ୟାରେ ସ୍ଥାନୀୟ ଶହୀଦ ଭବନ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା.ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ।
ପ୍ରାରମ୍ଭ ରେ ବରପୁତ୍ର ମାନଙ୍କ ଫୋଟଚିତ୍ର ରେ ଅତିଥି ବୃନ୍ଦ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ସଭା କାର୍ଯ୍ୟ ଆରମ୍ଭ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ବାଦନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା.ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଓଡିଶା ଦିବସ ପାଳନ ର ତାତ୍ପର୍ଯ୍ୟ ପ୍ରତିପାଦନ କରି ଯେଉଁ ଯୁଗଜନ୍ମା ମହାମନୀଷୀ ମାନଙ୍କ ଅଦ୍ୟମ ପ୍ରଚେଷ୍ଟା ରେ ଏହା ସମ୍ଭବ ହୋଇ ପାରିଥିଲା ସେମାନଙ୍କ ନୀତି ଓ ଆଦର୍ଶ ର ସ୍ମୃତି ଚାରଣ କରିଥିଲେ ଏବଂ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ସଂଗେ ସଂଗେ ଏହାକୁ ପାଥେୟ କରି ଓଡିଶା ର ସର୍ବାଙ୍ଗୀନ ଉନ୍ନତିକଳ୍ପେ ନିଜ ନିଜ ସ୍ତରରେ କାର୍ଯ୍ୟ କରି ଓଡିଶା ରାଜ୍ୟ କୁ ଏକନମ୍ବର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା ପାଇଁ ଆହ୍ୱାନ ଜଣାଇ ଥିଲେ |
ଅନ୍ୟାନ୍ୟ ମଂଚାସୀନ ଅତିଥି ମାନେ ମଧ୍ୟ ଦିବସ ପାଳନ ପଛର ଇତିହାସ ସମ୍ଭନ୍ଧ ରେ ଆଲୋକପାତ କରିବା ସହିତ ଓଡ଼ିଆ ଜାତିର ଯେଉଁ ଯୁଗଜନ୍ମା ମହାମନୀଷୀ ତଥା ମାତୃଭୂମି ପ୍ରେମୀ ମାନଙ୍କ ନିସ୍ଵାର୍ଥପର ତ୍ୟାଗ, ଆତ୍ମବଳିଦାନ ଓ ଲହୁ ଲୁହର ପ୍ରତିଦାନ ରେ ଓଡିଶା ଏକ ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ର ମାନ୍ୟତା ପାଇ ଭାରତ ମାନଚିତ୍ର ରେ ସ୍ଥାନ ଅଧିକାର କରିବା ସହିତ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ସେହି ମହାମନୀଷୀ ମାନଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ସେମାନେ ଆମର ଚିରସ୍ମରଣୀୟ ଓ ଚିର ନମସ୍ୟ ବୋଲି ବକ୍ତବ୍ୟ ରେ ପ୍ରତିପାଦନ କରିଥିଲେ |
ଏହା ପରେ ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ| ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମ ରେ ଶିକ୍ଷକ ହରେନ୍ଦ୍ର କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ ଏବଂ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର ପାଇଁ ଉପସ୍ଥିତ ଥିଲେ।

