ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ରାଜ୍ୟ

ଆଗରପଡ଼ା :ଭଦ୍ରକ ଜିଲ୍ଲା ବରପଦା ଠାରେ ଥିବା କେକେଆର ମହିଳା ମହାବିଦ୍ୟାଳୟରେ ରାଜ୍ୟ ଉପଭୋକ୍ତା ମହିଳା ମହାସଂଘ ଓ ଜିଲ୍ଲା ଓଜନ ଓ ମାପ ନିୟନ୍ତ୍ରକ ବିଭାଗ ଆନୁକୁଲ୍ୟରେ ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା କୋର୍ଟର ଆଇନଜୀବୀ ବସନ୍ତ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଯୋଗଦେଇ ଖାଉଟିର ଅଧିକାର ସମ୍ବନ୍ଧରେ ଆଲୋଚନା କରି ଯୋଗାଣ ବିଭାଗରେ ଯଦି କିଛି ଠକାମୀର ଶିକାର ହୁଅନ୍ତି ତେବେ ତାଙ୍କ ଦୃଷ୍ଟିକୁ ଆଣିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଖାଉଟି ଅଦାଲତ ବିଚାରପତି ଶିବପ୍ରସାଦ ମହାନ୍ତି ଯୋଗ ଦେଇ ଖାଉଟିଙ୍କ ପାଇଁ ନ୍ୟାୟିକବ୍ୟବସ୍ଥାରେ ଥିବା ସୁବିଧା ସୁଯୋଗ ବିଷୟରେ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଓଜନ ମାପ ନିୟନ୍ତ୍ରକ ପ୍ରିୟବ୍ରତ ଜେନା ଯୋଗ ଦେଇ ଖାଉଟି ସୁରକ୍ଷା ଅଧିକାର ସହ ଓଜନ ଓ ମାପରେ ହେଉଥିବା ଠକାମୀ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା,ଉପଭୋକ୍ତା ମହିଳା ମହାସଂଘ ମୁଖ୍ୟ ବନିତା ସାମଲ,ଖାଉଟି ସୁରକ୍ଷା କର୍ମୀ ତିଳତ୍ତମା ଦାସ ଉକ୍ତ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ରାଜ୍ୟ ଉପଭୋକ୍ତା ମହିଳା ମହାସଂଘ ସହ-ସଂପାଦିକା ରିତିକା ଜେନା କାର୍ଯ୍ୟକ୍ରମର ସଫଳତାପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Shrutilipi ad