ସାନ୍ତାଳୀ ଶିକ୍ଷା ପ୍ରଚଳନ ସହ ସାନ୍ତାଳୀ ଭାଷାକୁ ଭାଷାଗତ ସଂଖ୍ୟା ଲଘୁ ମାନ୍ୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ରାଜ୍ୟ

ବାରିପଦା: ଭାରତ୍ ଯାକାତ୍ ମାଝୀ ପାର୍ଗାନା ମହଲ୍, ମୟୂରଭଂଜ ଜିଲ୍ଲାର ଜିଲ୍ଲା ପାର୍ଗାନା ବାବା ସୁନ୍ଦର ମୋହନ ସୋରେନଙ୍କ ନେତୃତ୍ୱରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉର୍ଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଜାତୀୟ ଶିକ୍ଷା ନୀତି ୨୦୨୦ଅନୁସାରେ ପ୍ରାକ-ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ମାତୃଭାଷା ମାଧ୍ୟମରେ ଶିକ୍ଷା ଦାନ କରିବାକୁ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା ଓଡ଼ିଶାରେ ସାନ୍ତାଳୀ ଭାଷାରେ କାର୍ଯ୍ୟକାରୀ ହୋଇ ନାହିଁ। ସେହିଭଳି ନୂତନ ଶିକ୍ଷାନୀତି ଅନୁସାରେ ମଧ୍ୟ ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ବାରୋପ କରାଯାଇଛି | ସାନ୍ତାଳୀ ଭାଷା ସମ୍ବିଧାନ ଦ୍ୱାରା ମାନ୍ୟତା ପାଇଥିବା ସତ୍ତ୍ୱେ ବର୍ତ୍ତମାନସୁଦ୍ଧା ଓଡ଼ିଶା ସରକାର ଏହି ଭାଷାରେ ଷ୍ପଷ୍ଟନୀତି ପ୍ରକାଶ କରିନାହାନ୍ତି।

ଅଥଚ ଓଡ଼ିଶାରେ ଉର୍ଦ୍ଦୁ, ତେଲୁଗୁ, ହିନ୍ଦୀ, ଓ ବଙ୍ଗଳା ଭାଷାକୁ ଭାଷାଗତ ସଂଖ୍ୟା ଲଘୁ ଭାଷା ଭାବେ ମାନ୍ୟତା ଦିଆଯାଇଛି। ଏହି ଭାଷାରେ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ ଅଛି ଏବଂ ନିୟମିତ ଭାବରେ ଭାଷା ଶିକ୍ଷକ ନିଯୁକ୍ତି ହେଉଛି। ସାନ୍ତାଳୀ ଭାଷା ପାଇଁ ଏହି ସୁବିଧା ମିଳିବା ନିମନ୍ତେ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିଛି।

ନିକଟ ଅତୀତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାନ୍ତାଳୀ ଲେଖକ ସମ୍ମିଳନୀ , ନୂଆ ଶିକ୍ଷା ନୀତି-୨୦୨୦ଜାତୀୟ କର୍ମଶାଳା ଏବଂ ବିଧାନସଭାରେ “କେଜି ଠାରୁ ପିଜି ପର୍ଯ୍ୟନ୍ତ” ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନସୁଦ୍ଧା ଏହା କାର୍ଯ୍ୟରେ ପରିଣତ ହୋଇନାହିଁ  |

ଭାରତ୍ ଯାକାତ୍ ମାଝୀ ପାର୍ଗାନା ମହଲ ପକ୍ଷରୁ ଏହି ଦାବିକୁ ହାସଲ କରିବା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଜୋର୍ ଦିଆଯାଇଛି। ଏହି ଆନ୍ଦୋଳନକୁ “ମିଶନ ଅଲ୍ ଚିକି” ଭାବରେ ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆୟୋଜନ କରାଯାଉଛି।

ଏହି ଦାବି ପ୍ରଦାନ ସମୟରେ ଜିଲ୍ଲା ପାର୍ଗାନା ସୁନ୍ଦର ମୋହନ ସୋରେନ ସହିତ ମୁଲୁକ୍ ପାର୍ଗାନା ବାବା ବାଳିୟୁ ମାର୍ଣ୍ଡି, ପିଳ୍ ପାର୍ଗାନା ବାବା ଫାଗୁରାମ ମୁର୍ମୁ, ଗିରିଶ ଚନ୍ଦ୍ର ମାର୍ଣ୍ଡି, ଲାଲୁ ପ୍ରସାଦ ମାର୍ଣ୍ଡି ଓ ବାବ୍ଲୁ ସୋରେନ ଉପସ୍ଥିତ ଥିଲେ।

ଅସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ଆରମ୍ଭ ସୁଦ୍ଧା ଏହି ଦାବି ଅନୁସାରେ ସାନ୍ତାଳୀ ଭାଷରେ ଶିକ୍ଷା ରାଜ୍ୟ ସରକାର ପ୍ରତିଷ୍ଠିତ ପଦକ୍ଷେପ ନ ନେଲେ ରାଜ୍ୟର ସାନ୍ତାଳୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଅଚଳ କରିବା ମହା ଆନ୍ଦୋଳନ ଆରମ୍ଭ ହେବ ବୋଲି ପାର୍ଗାନା ମହଲ ପକ୍ଷରୁ ଚେତାବନୀ ଦିଆଯାଇଅଛି |

Shrutilipi ad