କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ ୨ମାନ୍ୟତା ପ୍ରସଙ୍ଗ, ଆରମ୍ଭ ହେବ ଦ୍ୱିତୀୟ ବର୍ଷ ପାଠପଢା

ରାଜ୍ୟ
  • କାଗଜକଲମରେ ସୀମିତ ଶ୍ରେଣୀଗୃହ 

ଆଗରପଡ଼ା :ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦ୍ୱିତୀୟ ବର୍ଷର ପାଠପଢା କିନ୍ତୁ ପିଲାଙ୍କ ଶୈକ୍ଷିକ ବାତାବରଣରେ କୌଣସି ପରିବର୍ତ୍ତନ ହୋଇ ପାରିଲା ନାହିଁ କି ଶ୍ରେଣୀଗୃହ ସମସ୍ୟାର କୌଣସି ସ୍ଥାୟୀ ସମସ୍ୟା ହୋଇ ପାରିଲା ନାହିଁ । କାଗଜକଲମରେ ସୀମିତ ରହିଯାଇଛି ଶ୍ରେଣୀଗୃହ ପ୍ରସଙ୍ଗ । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲ ଠାରେ । ଗତ ଜୁନ ୨୬ ତାରିଖରେ ରାଜ୍ୟ ସରକାରୀଙ୍କ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ୧୪ଟି ଜିଲ୍ଲାରେ ୭୯ଟି ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଭଦ୍ରକ ଜିଲ୍ଲାର ୪ଟି ହାଇସ୍କୁଲ ଅର୍ନ୍ତଭୂକ୍ତ ହୋଇଥିଲା । ତନ୍ନମଧ୍ୟରୁ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲ ଅନ୍ୟତମ । ସରକାରଙ୍କ ନିର୍ଦ୍ଦେଶାନୁସାରେ ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ୭୮ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ଓଡ଼ିଆ,ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ,ଅର୍ଥଶାସ୍ତ୍ର ଏବଂ ତର୍କ ଶାସ୍ତ୍ର ଆଦି ବିଷୟରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଆସୁଛନ୍ତି । ତେବେ ଏହି ବିଦ୍ୟାଳୟରେ ଶିକ୍ଷାଲାଭ କ୍ଷେତ୍ରରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ଥିବା ବେଳେ ତାହାର ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଏଠାରେ ପ୍ରକାଶ ଥାଉକି;ଶ୍ରେଣୀ ଗୃହ ସମସ୍ୟାକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ପରେ ଗତ ବର୍ଷ ଅଗଷ୍ଟ ମାସରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବ୍ଳକ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଗୃହ ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ସହମତି ପ୍ରକାଶ ପାଇଥିଲା ।

କିନ୍ତୁ ଇତି ମଧ୍ୟରେ ୬ମାସ ବିତିବାକୁ ବସିଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ବନ୍ତ ବ୍ଲକରେ ସମୁଦାୟ ୪୩ ଗୋଟି ହାଇସ୍କୁଲ ଥିବା ବେଳେ ୧୧ଟି ହାଇସ୍କୁଲରେ ୧ରୁ ୧୦ମ,୩ଟି ହାଇସ୍କୁଲରେ ୬ଷ୍ଠରୁ ୧୦ମ,୨ଟି ହାଇସ୍କୁଲରେ ୮ମ ରୁ ୧୦ମ ଓ ୨୭ଟି ହାଇସ୍କୁଲରେ ୯ମ ଓ ୧୦ମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ସେଥିମଧ୍ୟରୁ କାଦବରାଙ୍ଗ ହାଇସ୍କୁଲରେ ୧ମରୁ ୧୦ମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ୧୯୬୫ ମସିହାରେ ପ୍ରତିଷ୍ଠିତ ଉକ୍ତ ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରେ ୫୩୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୯ମରେ୧୪୬ ଓ ୧୦ମରେ ୧୪୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଉକ୍ତ ହାଇସ୍କୁଲଟି ବ୍ଲକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଶିକ୍ଷାର ମାନବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ମାଟ୍ରିକ୍ ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ମଧ୍ୟ ଉକ୍ତ ହାଇସ୍ଖୁଲର ଛାତ୍ରଛାତ୍ରୀ ଅକ୍ତିଆର କରିପାରିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ସବୁ ଥାଇ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ପାଲଟିଥିବା ଜଣାପଡ଼ିଛି । ଶ୍ରେଣୀ ଗୃହ ଅଭାବରୁ ୮ମ ଶ୍ରେଣୀରେ ଚଳିତବର୍ଷରେ ଅଧ୍ୟୟନ କରୁଥିବା ୧୦୧ଜଣ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷାଲାଭ କରୁଛନ୍ତି । ସେହିପରି ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ସଂଖ୍ୟା ଅନୁଯାୟୀ ଶ୍ରେଣୀଗୃହର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି । ଶ୍ରେଣୀଗୃହ ଅଭାବରୁ ବିଭାଗ ବଣ୍ଟନ ମଧ୍ୟ ସୂଚାରୁରୂପେ କରାଯାଇପାରୁନଥିବା ଜଣାପଡ଼ିଛି । ଶିକ୍ଷାଦାନ ପାଇଁ ଶିକ୍ଷକଙ୍କ ଅଭାବ ମଧ୍ୟ ଲାଗିରହିଛି । ତେଣୁ ହାଇସ୍କୁଲଟିରେ ଲାଗିରହିଥିବା ଶ୍ରେଣୀଗୃହ ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ଯୁକ୍ତ ୨ ପିଲାଙ୍କ ଅବସ୍ଥା ମଧ୍ୟ ସମାନ । ତେଣୁ ଆଉ କିଛି ଦିନ ପରେ ଏକ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ ପିଲା ନାମ ଲେଖାଇବେ । ତେଣୁ ଏବେଠୁ ଯଦି ଶ୍ରେଣୀୀ ଗୃହ ସମସ୍ୟାର ସମାଧାନ କରାନଯାଏ ତେବେ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଲାଭ କରିବାରୁ ବଂଚିତ ହେବା ସୁନିଶ୍ଛିତ । ତେଣୁ ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ଆଗରୁ ଏଠାରେ ଲାଗି ରହିଥିବା ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଭିଭାବକଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Shrutilipi ad