- ସୁରକ୍ଷିତ ଇଣ୍ଟରନେଟ ପାଇଁ ମୁଖ୍ୟତଃ ଲୋଭ ଓ ଭୟ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ
ବାରିପଦା : ଭାରତ ସରକାରଙ୍କ ଇଲେକ୍ଟ୍ରୋନିକସ ଏବଂ ସୂଚନା ପଯୁକ୍ତି ବିଦ୍ୟା ମନ୍ତ୍ରାଳୟ ନିର୍ଦେଶ ଅନୁଯାୟୀ ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଏନ.ଆଇ.ସି. ଆନୁକୂଲ୍ୟରେ ନିରାପଦ ଇଣ୍ଟରନେଟ ଦିବସ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିଷାନ ଓ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଯୋଗଦେଇଥିଲେ।
ଏହି ଅବସରରେ ଏନ ଆଇ ସି ର ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଅଜୟ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟାଳୟ ସ୍ତରରେ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ”ଉତ୍ତମ ଇଣ୍ଟରନେଟ ପାଇଁ ଏକତ୍ରିତ” ଶୀର୍ଷକ ସମ୍ଭନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଏହି ଦିବସ ଫେବୃଆରୀ ମାସ ଦ୍ଵିତୀୟ ମଙ୍ଗଳବାର ଦିନ ବିଶ୍ୱ ବ୍ୟାପି ପାଳନ ହେଉଛି ବୋଲି ସୂଚାଇ ଥିଲେ। ଏହି ଦିବସ ପାଳନ ର ମୁଖ୍ୟ ଉଦେଶ୍ୟ ହେଉଛି ଜନସାଧାରଣ, ଯୁବସମାଜ, ଛାତ୍ରଛାତ୍ରୀ ତଥା ସମାଜ ର ସବୁ ବର୍ଗର ଲୋକଙ୍କୁ ସଚେତନ କରି ଇଣ୍ଟରନେଟର ସଠିକ ପ୍ରୟୋଗ ଦ୍ୱାରା ଏହାର ବ୍ୟବହାର ମାଧ୍ୟମ ରେ ଯେଉଁ ସବୁ ଠକେଇର ଶିକାର ହେଉଛନ୍ତି ସେଥିର ମୁକ୍ତି ପାଇବା।
ଏହି ପରିପ୍ରେକ୍ଷୀରେ ସେ କହିଥିଲେଯେ ଆଜିର ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ବ୍ୟକ୍ତିଗତ ସ୍ତରରେ ହେଉ କିମ୍ବା ସରକାରୀ ସ୍ତରରେ ହେଉ ଅବା ସାମାଜିକ ସ୍ତରରେ ହେଉ ଦୈନନ୍ଦିନ ଜୀବନ ରେ ପ୍ରତ୍ୟେକଙ୍କ ପାଇଁ ଇଣ୍ଟରନେଟର ବ୍ୟବହାର ଅପରିହାର୍ଯ୍ୟ ହୋଇପଡିଛି। ମାତ୍ର ଏହାର ବ୍ୟବହାର ସମୟରେ ଆମେ ଯଦି ଉପଯୁକ୍ତ ସତର୍କତା ଅବଲମ୍ବନ ନକରିବା ତେବେ ଆମେ ଠକେଇ ର ଶିକାର ହେବା।
ଏହି ଠକେଇ ଶିକାର ର ମୁଖ୍ୟ କାରଣ ହେଉଛି ଲୋଭ ଓ ଭୟ.
ଏହି ଅବସରରେ ଠକେଇ ରୁ ଦୁରେଇ ରହିବା ପାଇଁ ସେ କେତେକ ସଚେତନଧର୍ମୀ କୌଶଳ ଉପସ୍ଥାପନ କରିଥିଲେ ଯଥା ଓଟିପି,ପିନ, ଆଧାର, ପ୍ୟାନ କିମ୍ବା ସମ୍ବେଦନଶୀଳ ବିବରଣୀ ପ୍ରକାଶ ନକରିବା, ଅନଧିକୃତ ଆଧାର ଦେୟ ଵିଜ୍ଞାପନ ବିଷୟ ରେ ସତର୍କ ରହିବା, ଅଜ୍ଞାତ ନମ୍ବରରୁ ଆସିଥିବା ଲିଙ୍କ ଉପରେ କେବେବି କ୍ଲିକ ନକରିବା, ଅଜଣା ନମ୍ବର ରୁ ବ୍ୟକ୍ତିଗତ ସୂଚନା କିମ୍ବା ଟଙ୍କା ପାଇଁ ନିବେଦନ କରୁଥିବା ଲୋକଙ୍କ ଠାରୁ ଦୁରେଇ ରହିବା, କ୍ଯୁଆର କୋଡ଼ ସ୍କାନ କରିବା କିମ୍ବା ପେମେଣ୍ଟ ଗ୍ରହଣ କରିବା ପାଇଁ ଓଟିପି /ପିନ ସେୟାର ସମୟରେ ସାବଧାନ ରହିବା, ଅନଲାଇନ କିମ୍ବା ସାମାଜିକ ଗଣମାଧ୍ୟମ ରେ ନିଜର ବ୍ୟକ୍ତିଗତ ସୂଚନା ନଦେବା, ଉଚ୍ଚ ରିଟାର୍ଣ୍ଣ ସହିତ ଅନଲାଇନ ନିବେଶ ଠାରୁ ଦୁରେଇ ରହିବା, ନିଜ ମୋବାଇଲ ରେ ଥିବା ଆପ ଗୁଡିକ ନିୟମିତ ବ୍ୟବଧାନ ରେ ସମୀକ୍ଷା କରିବା, ଗିରଫ ହେବା ଭୟରେ ମିଛ ଭିଡ଼ିଓ କଲ କିମ୍ବା ଭଏସ କଲ ଉପରେ ବିଶ୍ୱାସ ନକରି ସତ୍ୟା ସତ୍ୟ ଅନୁସନ୍ଧାନ କରିବା, ବ୍ୟାଙ୍କ ପରି ସମ୍ବେଦନଶୀଳ ଆର୍ଥିକ କାରବାର ପାଇଁ ପବ୍ଲିକ ୱାଇ ଫାଇ ରୁ ଦୁରେଇ ରହିବା ଇତ୍ୟାଦି ପ୍ରମୁଖ ଅଟେ ବୋଲି ଉଲ୍ଲେଖ କରିଥିଲେ।
ସାବଧାନ ରହିବା ସତ୍ୱେ ଦୁର୍ଯୋଗ ବଶତଃ ଯଦି କୌଣସି ସାଇବର ଠକେଇ ର ଶିକାର ହୁଅନ୍ତି ତେବେ ତୁରନ୍ତ ଟୋଲ ଫ୍ରି 1930 ନମ୍ବରକୁ କଲ୍ କରି ସୂଚିତ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ କାର୍ଯ୍ୟକ୍ରମ ଉପରେ ସୁଚିନ୍ତିତ ମତାମତ ରଖି ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଭିନ୍ନ ପଦାଧିକାରୀ, କର୍ମଚାରୀ, ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। NIC ର ଟିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପ୍ରକାଶ ଥାଉକି ଏନ ଆଇ ସି ତରଫରୁ ଉକ୍ତ ସଚେତନ କାର୍ଯ୍ୟକ୍ରମ ପୂର୍ବାହ୍ନ ରେ ସ୍ଥାନୀୟ ଏମ ପି ସି ଅଟୋନମସ କଲେଜ ରେ କରାଯାଇ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସଚେତନ କରାଯାଇଥିଲା

