IMG 20260111 WA0162

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ରସାୟନ ବିଜ୍ଞାନ ବିଭାଗର ଜାତୀୟ ଆଲୋଚନାଚକ୍ର 

ରାଜ୍ୟ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଦ୍ଵାରା ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଦିବସର ଉଦ୍‌ଘାଟନୀ ପର୍ବରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍କଳ ବିଶ୍ଵବିଦ୍ୟାଳୟର ସିଏସ୍‌ଆଇଆରର ଏମିରେଟସ ବୈଜ୍ଞାନିକ ଭାବରେ ଅବସ୍ଥାପିତ ପ୍ରଫେସର ନିଗମାନନ୍ଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାଂପ୍ରତିକ ସ୍ଥିତିରେ ରସାୟନ ବିଜ୍ଞାନର ଅଗ୍ରଗତି ସମ୍ବନ୍ଧରେ ସାରଗର୍ଭକ ଅଭିଭାଷଣ ରଖିଥିଲେ। “ରସାୟନ ବିଜ୍ଞାନ ଓ ସନ୍ତୁଳିତ ପରିବେଶ” ଶୀର୍ଷକ ଏହି ଆଲୋଚନାଚକ୍ରରେ ଜାମସେଦପୁରସ୍ଥ ସିଏସ୍‌ଆଇଆର୍ ଏନ୍‌ଏମ୍‌ଏସର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ତ୍ରିଲୋଚନ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ରସାୟନ ବିଜ୍ଞାନକୁ ପରିବେଶର ସନ୍ତୁଳନରେ କିପରି ଉପଯୋଗ କରାଯାଇପାରିବ, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଆଲୋଚନା ଚକ୍ରର ମୁଖ୍ୟବକ୍ତା ଭୁବନେଶ୍ବରସ୍ଥ ନାଇଜରର  ନିର୍ଦ୍ଦେଶକ ପ୍ରଫେସର ହୀରେନ୍ଦ୍ର ନାଥ ଘୋଷ ଯୋଗଦାନ କରି ରସାୟନ ବିଜ୍ଞାନର ଅଲଟ୍ରାଫାଷ୍ଟ ସ୍ପେଟ୍ରୋସ୍କୋପୀ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରର ଆବାହକ ବିଭାଗୀୟ ପ୍ରଫେସର ରାଜେଶ କୁମାର ସିଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।  ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ଲିଙ୍ଗରାଜ ବେହେରା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିବା ବେଳେ ବିଭାଗୀୟ ସହକାରୀ  ପ୍ରଫେସର ଡକ୍ଟର ଅମର କୁମାର ଦୋରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ।ବିଶ୍ବବିଦ୍ୟାଳୟର ପିଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଫେସର ଇନ୍ଦ୍ରଜିତ ନାୟକ ସରକାରୀ ବ୍ୟବସ୍ଥାରେ ଗବେଷଣା ଓ ଆଲୋଚନାଚକ୍ର ପାଇଁ ପ୍ରୋତ୍ସାହନ ଦିଗ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ରସାୟନ ବିଜ୍ଞାନ କ୍ଷେତ୍ରରେ ବିଶ୍ବବିଦ୍ୟାଳୟର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଆଶୀଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିବସୀୟ ଆଲୋଚନାଚକ୍ରରେ ଆଲୋଚକ ଭାବରେ ପଶ୍ଚିମବଙ୍ଗର ବିଦ୍ୟାସାଗର ବିଶ୍ବବିଦ୍ୟାଳୟର ପ୍ରଫେସର ସୁମିତା ରଏ,  ଭୁବନେଶ୍ୱର ଆଇସିଟିର ସହଯୋଗୀ ପ୍ରଫେସର ଡକ୍ଟର ନିମାଇଁ ମିଶ୍ର, ବ୍ରହ୍ମପୁର ଆଇଜରର ବିଭାଗ ମୁଖ୍ୟ ଡକ୍ଟର ମଳୟ କୁମାର ରଣା , ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର, ଡକ୍ଟର ଅଞ୍ଚନ କୁମାର ବେଜ,ଭୁବନେଶ୍ୱର ଆଇଆଇଟି ପ୍ରଫେସର ତାବ୍ରେଜ ଖାନ୍, ଭୁବନେଶ୍ବରର ପ୍ରଫେସର ପ୍ରିୟବ୍ରତ ମହାପାତ୍ର ଯୋଗଦାନ କରି ଆଲୋଚନା କରିଥିଲେ।  ମୁଖ୍ୟଅତିଥି ଆଲୋଚନାଚକ୍ରର କାର୍ଯ୍ୟକ୍ରମ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହି ଆଲୋଚନାଚକ୍ରରେ ସାତଜଣ ଗବେଷକ ମୌଖିକ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ଆଠଜଣ ଗବେଷକ ପୋଷ୍ଟର ଉପସ୍ଥାପନ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାଚକ୍ରରେ ଅନୁବନ୍ଧିତ ମହାବିଦ୍ୟାଳୟ ମାନଙ୍କର ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ବିଶ୍ବବିଦ୍ୟାଳୟର ସଙ୍ଗୀତ ଗାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ପ୍ରଥମଦିନ ସନ୍ଧ୍ୟାରେ ଗବେଷିକା ସନ୍ଧ୍ୟାରାଣୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦ୍ବିତୀୟ ଦିନ ‘ବନ୍ଦେ ଉତ୍କଳ ଜନନୀ ‘ ଗାନରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ମହାନ୍ତ , ଚିନ୍ମୟ ବେହେରା, ହରିଶଙ୍କର ବେହେରା, ନିଳୀମା ତ୍ରିପାଠୀ, ରୀକା ପଣ୍ଡା,  ଗଣେଶ୍ୱର ମୁଖୀ ପ୍ରମୁଖ  ସହଯୋଗ କରିଥିଲେ।
Shrutilipi ad