IMG 20260108 WA0127

ଯୌତୁକ ନିଷେଧ ଅଧିନିୟମ -୧୯୬୧ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ରାଜ୍ୟ
ବାରିପଦା: ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମିଳିତ ଆନୁକୂଲ୍ୟରେ ସଦଭାବନା ଗୃହ ଠାରେ ଯୌତୁକ ନିଷେଧ ଅଧିନିୟମ -୧୯୬୧ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ବାରିପଦା ଉପଜିଲ୍ଲାପାଳ ତଥା ଜିଲ୍ଲା ଯୌତୁକ ନିରୋଧ ଅଧିକାରୀ ଡ.ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା  ସବିତା ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିହାରିକା ମହାନ୍ତି, ଆଇନ ମହାବିଦ୍ୟାଳୟ ବାରିପଦା ର ଅଧ୍ୟାପକ ସୁନୀଲ କୁମାର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଓକିଲ ସତ୍ୟ ନାରାୟଣ ବେହେରା
ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିରକୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀଣୀ  ସସ୍ମିତା ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରଶିକ୍ଷଣ ଶିବିରର ଆଭିମୁଖ୍ୟ ଓ କାର୍ଯ୍ୟନ୍ଵୟନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଉପଜିଲ୍ଲାପାଳ ତା’ଙ୍କ ବକ୍ତବ୍ୟରେ କହିଥିଲେ ଯୌତୁକ ଏକ ସାମାଜିକ ବ୍ୟାଧି। ସୁସ୍ଥ ଚିନ୍ତାଧାରା ଓ ଉନ୍ନତ ମାନସିକତା ଦ୍ୱାରା ହିଁ ଏହାକୁ ସମାଜରୁ ସମ୍ପୂର୍ଣ୍ଣ ବିଲୋପ କରିବା ସମ୍ଭବ।  ଆଇନ ଓ ଦଣ୍ଡ ବିଧାନ ଦ୍ୱାରା ଏହାର ସମ୍ପୂର୍ଣ୍ଣ ନିରାକରଣ ବହୁ ସମୟ ସାପେକ୍ଷ। ପ୍ରତ୍ୟେକ ପିତାମାତା ନିଜ ନିଜ କନ୍ୟା ସନ୍ତାନକୁ ବିବାହ କରାଇ ଦେଇ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ଉପରେ ଗୁରୁତ୍ୱ ନଦେଇ ବରଂ ନିଜ କନ୍ୟାଙ୍କୁ ଉପଯୁକ୍ତ ଶିକ୍ଷାଦାନ ଦ୍ୱାରା ଶିକ୍ଷିତ ଓ ସଶକ୍ତ କରାଇ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ଉପରେ ପ୍ରାଧାନ୍ୟ ଦେବା ଉଚିତ।
ସେହିପରି ମଂଚାସୀନ ଅନ୍ୟାନ୍ୟ ଅତିଥିବୃନ୍ଦ ମଧ୍ୟ ବିବାହ ସମୟରେ ବର ପରିବାର ପକ୍ଷରୁ କନ୍ୟା ପରିବାର ପକ୍ଷଙ୍କୁ ଯୌତୁକ ଦାବି କରିବା,ସଭ୍ୟ ସମାଜ ପାଇଁ ଏକ ବିକୃତ ଓ ଘୃଣ୍ୟ ମାନସିକତା ବୋଲି ଅଭିହିତ କରିବା ସହ ଯୌତୁକ ନିରୋଧ ସମ୍ବନ୍ଧୀୟ  ସାମାଜିକ, ପାରିବାରିକ, ଆଇନଗତ ଇତ୍ୟାଦି ବିଭିନ୍ନ ଦିଗ ଉପରେ ପର୍ଯ୍ୟାଲୋଚନା କରିଥିଲେ ଏବଂ ଏହାର ସମ୍ପୂର୍ଣ୍ଣ ବିଲୋପ ପାଇଁ ସମାଜରେ ସମସ୍ତଙ୍କ ସହଭାଗୀତାରେ ସଚେତନତାକୁ ବ୍ୟାପକରୁ ବ୍ୟାପକତର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ରୁ ଆସିଥିବା ସବ- ରେଜିଷ୍ଟ୍ରାର, ମହାବିଦ୍ୟାଳୟ ମାନଙ୍କ ଅଧ୍ୟକ୍ଷ,  ଜାତୀୟ ସେବା ଯୋଜନା  ର ଛାତ୍ର ଛାତ୍ରୀ, ପୋଲିସ ବିଭାଗର କର୍ମକର୍ତା, ୱାନ ଷ୍ଟପ ସେଣ୍ଟର, ଶକ୍ତି ସଦନ ଓ ପରିବାର ପରାମର୍ଶ କେନ୍ଦ୍ରର କର୍ମକର୍ତାମାନେ ଉପସ୍ଥିତ ରହି ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ।
Shrutilipi ad