ବାରିପଦା: ଗତକିଛି ଦିନ ହେଲା ମୟୂରଭଞ୍ଜରେ ବାୟୁ ପ୍ରଦୂଷଣ ଖୁବ୍ ଦ୍ରୁତ ଗତିରେ ବଢ଼ିଚାଲିଛି । ବାୟୁର ଗୁଣବତ୍ତା(ଏକ୍ୟୁଆଇ) ବିଭିନ୍ନ ପ୍ରଦୁଷକ କାରକର ମାତ୍ରା ବଢ଼ି ଚାଲିଥିବାରୁ ଏବେ ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଛି । ଏଣୁ ଜିଲ୍ଲାରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକର ନିଷ୍ପତି କ୍ରମେ ଜନସାଧାରଣଙ୍କ ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି ।
ଜିଲ୍ଲାରେ ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଏବଂ ଗ୍ରାପ ଷ୍ଟେଜ୍-୨ ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା-୧୬୩ ଅନୁଯାୟୀ ବାୟୁ ପ୍ରଦୂଷଣକୁ ରୋକିବାକୁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ଏହି କଟକଣା ବାରିପଦା ମ୍ୟୁନିସିପାଲିଟି ସମେତ ଜିଲ୍ଲାର ସମସ୍ତ ଏନ୍ଏସି, ପୌରାଞ୍ଚଳରେ ଆଗାମୀ ୭ ଦିନ ଯାଏଁ ବଳବତ୍ତର ରହିବ । ଆବଶ୍ୟକ ପଡ଼ିଲେ ଏହାର ଅବଧି ବୃଦ୍ଧି କରାଯିବ ।
ବାରିପଦା ସହର ସମେତ ଜିଲ୍ଲାର ଅନ୍ୟ ସମସ୍ତ ସହରାଞ୍ଚଳରେ ଭାରୀଯାନ ତଥା ଟ୍ରକ୍ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ବିନା ପାଲରେ ଟ୍ରକ୍ ଏବଂ ଟ୍ରାକ୍ଟର ଗୁଡ଼ିକୁ ଜାତୀୟ ରାଜପଥ, ରାଜ୍ୟ ରାଜପଥରେ ଚଳାଚଳ କରିପାରିବ ନାହିଁ। ଆବର୍ଜନା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଯେକୌଣସି ପ୍ରକାର ଖୋଲାରେ ନିଆଁ ଜାଳିବାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମେତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ପକ୍ଷରୁ କୋଇଲା, ଖଣିଜ ଓ ଫ୍ଲାଏଆସ୍ ବୋଝେଇ ଟ୍ରକ୍ଗୁଡ଼ିକର ଦିନରେ ଚଳାଚଳ ଉପରେ ପୃଥକ କଟକଣା ଜାରି କରାଯିବ । ଆବଶ୍ୟକ ଅନୁମତି ବିନା କୌଣସି ଇଟାଭାଟି ଚାଲିବ ନାହିଁ । ସହରାଞ୍ଚଳ, ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସମସ୍ତ ରାସ୍ତାରେ ପ୍ରତ୍ୟେକ ୩ ଘଣ୍ଟା ବ୍ୟବଧାନରେ ପାଣି ସିଞ୍ଚନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ୟୁଏଲବି(ବିଜ୍ଞାପିତ ଅଞ୍ଚଳ ଓ ଏନ୍ଏସି)କୁ ରାସ୍ତା ପରିଷ୍କାର ସହ ନିୟମିତ ବ୍ୟବଧାନରେ ଧୂଳି ତଥା ଅଳିଆ ସଫା କରିବାକୁ କୁହାଯାଇଛି । ପୁଲିସ, ମ୍ୟୁନିସିପାଲିଟି, ଏନ୍ଏସି, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା, ଆର୍ଟିଓଙ୍କୁ ନିୟମ କଡ଼ାକଡ଼ି ସୁନିଶ୍ଚିତ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସର୍ବସାଧାରଣରେ ଲାଗୁ କରାଯାଇଥିବା କଟକଣା ଅନୁଯାୟୀ ସହରାଞ୍ଚଳ ସୀମା ଭିତରେ ଭଙ୍ଗାରୁଜା ଓ ମାଟିକାମ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି । ସେହିପରି ବାଣ ଫୁଟାଇବା ତଥା ସର୍ବସାଧାରଣରେ ଅନାବଶ୍ୟକ ନିଆଁ ଲଗାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
ବାୟୁ ପ୍ରଦୂଷଣକୁ ରୋକିବା ତଥା ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସମସ୍ତ ନାଗରିକ, ବ୍ୟବସାୟୀ ଓ ସଂପୃକ୍ତ ସଂସ୍ଥାମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି । ବାୟୁମଣ୍ଡଳ ଉପରେ ସିଧାସଳଖ ପ୍ରଭାବ ପକାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟକ୍ଷେତ୍ର, କଳକାରଖାନା, କ୍ରସର ୟୁନିଟ୍ ଆଦି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜନସାଧାରଣଙ୍କୁ ସର୍ବସାଧାରଣ ବ୍ୟବହୃତ ଯାନ, ଇ-ଯାନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ରାଇରଙ୍ଗପୁର, କପ୍ତିପଦା ଓ କରଞ୍ଜିଆ ଉପଜିଲ୍ଲାପାଳ ପ୍ରତିଦିନ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

