Img 20260104 wa0168

“ରୂପାନ୍ତର”ର ବାର୍ଷିକ ବନ୍ଧୁମିଳନ

ରାଜ୍ୟ
ବାରିପଦା : ସ୍ଥାନୀୟ ମୁନିସିପାଲିଟି ଅତିଥି ଭବନ ପରିସରରେ ବାରିପଦାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ  ମଞ୍ଚନାଟକର ଉତ୍ଥାନ କ୍ଷେତ୍ରରେ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ I ତତସହିତ ହିଡେନ ଟ୍ରେଜର କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ଥିବା କଳାର ବିକାଶ କ୍ଷେତ୍ରରେ ମଧ୍ୟ ନେଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ I ଅନୁଷ୍ଠାନର ନିର୍ଦ୍ଦେଶକ ପରେଶ ସାହୁ ଦୀର୍ଘ ୨୬ ବର୍ଷ ଧରି ରୂପାନ୍ତର ର ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପ ଉପରେ ଆଲୋକପାତ କରିବା ସହ ଏହାକୁ ସଫଳ କରିବାରେ ସଭ୍ୟସଭ୍ୟାଙ୍କ ସକ୍ରିୟ ଭୂମିକା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ I ଏହି ଅବସରରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କ୍ଷେତ୍ରରେ ସଦାସର୍ବଦା ସହଯୋଗର ହାତ ବଢ଼େଇଥିବା ନଗରପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ତତସହିତ ଅନୁଷ୍ଠାନର ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I ଅନୁଷ୍ଠାନର କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମନାଥ ସିଂହଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I କଲାପ୍ରେମୀ ତଥା ବରିଷ୍ଠ ମଞ୍ଚ ଅଭିନେତା ଅଶୋକ କୁମାର ପଲେଇ ତଥା ମନୋଜ ପଣ୍ଡାଙ୍କୁ ନୂତନ ସଭ୍ୟ ଭାବେ ସ୍ୱାଗତ କରାଯାଇଥିଲା I ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ଅନୁଷ୍ଠାନର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ I ଥିଏଟର ଏକାଡେମୀର ସମ୍ପାଦକ ସତ୍ୟନାରାୟଣ ଦାସ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ I
Shrutilipi ad