Img 20260103 wa0175

ସର୍ବଭାରତୀୟ କାରାଟେ ଚମ୍ପିୟାନସିପ; ବ୍ରୋଞ୍ଜ ପଦକ ହାସଲ କଲେ ବାରିପଦାର ଦୀପକ 

ରାଜ୍ୟ
ବାରିପଦା : “ତୁଳସୀ ଦୁଇ ପତ୍ରରୁ ବାସେ” – ଏହା ପ୍ରମାଣିତ କରିଛନ୍ତି ବାରିପଦାର ଦୀପକ କୁଁଅର I ୨୦୧୯ ମସିହାରେ ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଅନ୍ୟମାନଙ୍କର କାରାଟେ ଅଭ୍ୟାସ କରୁଥିବାର ଦେଖି ୭ ବର୍ଷର ଦୀପକ କାରାଟେ ପ୍ରତି ଆକୃଷ୍ଟ ହୋଇଥିଲେ I ଦିବ୍ୟାଙ୍ଗ ପିତା ରଙ୍ଗକାମ କରି ପରିବାର ପାଳୁଥିଲେହେଁ ପୁଅର ଜିଦ ଆଗରେ ହାରମାନି କାରାଟେ ସ୍କୁଲରେ ନାମ ଲେଖେଇଦେଇଥିଲେ I ଗୁରୁ ସୁଶାନ୍ତ ବାରିକଙ୍କ ଠାରୁ ଉପଯୁକ୍ତ ପ୍ରଶିକ୍ଷଣ ପାଇ ଦୀପକ ପ୍ରଥମ ଥର ପାଇଁ ୨୦୨୩ ମସିହାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବେଶ ଉତ୍ସାହିତ ହୋଇଥିଲେ I ୨୦୨୪ ମସିହାରେ ସବ ଜୁନିୟର ରାଜ୍ୟସ୍ତରୀୟ କାରାଟେ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ I ୨୦୨୫ ମେ ମାସରେ ରାଞ୍ଚିଠାରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ I ୨୦୨୫ ଡିସେମ୍ବର ୨୭ ରୁ ୩୦ ମଧ୍ୟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରରେ ୪୫ କିଲୋଗ୍ରାମରୁ କମ ବାଳକ ବିଭାଗରେ ୩ୟ ସ୍ଥାନ ଅଧିକାର କରି ପୁଣିଥରେ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି I ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ଜନାର୍ଦ୍ଦନପୁର ନିବାସୀ ବିଶ୍ୱନାଥ କୁଁଅର ଓ ରୀତା କୁଁଅର ଙ୍କ ପୁଅ ଦୀପକ ବର୍ତମାନ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ମ ଶ୍ରେଣୀର ଛାତ୍ର I ଖବର ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି I ଉପଯୁକ୍ତ ପ୍ରଶିକ୍ଷଣ ପାଇଲେ ଦୀପକ ନିଶ୍ଚୟ ଦିନେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିବେ ବୋଲି ପ୍ରଶିକ୍ଷକ ଶ୍ରୀ ବାରିକ ପ୍ରକାଶ କରିଛନ୍ତି I
Shrutilipi ad