Barg 750x430 1 e1767535617641 300x227

କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା ମହୋତ୍ସବ 

ରାଜ୍ୟ

ବରଗଡ଼: ୧୧ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ  ଉଦ୍‌ଯାପିତ ହୋଇଛି। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ହୋଇଥିଲା। ଉଦଯାପନୀ ଦିବସରେ କଂସବଧ ଦୃଶ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା। ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ ଅଭିନୟ ଯୋଗୁ ମଥୁରାନଗରୀ ଲୋକାରଣ୍ୟ ହୋଇ ପଡ଼ିଥିଲା। ମଥୁରା ପରିଭ୍ରମଣ ସାରି କଂସ ମହାରାଜା ସ୍ଥାନୀୟ ଲୋକମଣ୍ଡପ ପଡ଼ିଆସ୍ଥିତ ରାଜ ଦରବାରକୁ ଆସିଥିଲେ। ଶ୍ରୀକୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ସେ ନିଜର ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କ ସହିତ ରଣକୌଶଳ ପ୍ରସ୍ତୁତ କରିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ ହାଟପଦା ମଞ୍ଚରେ ଶିବଧନୁ ଭଙ୍ଗ କରିଥିବାବେଳେ ତାଙ୍କ କରାଘାତରେ କୁବଳୟା ହସ୍ତୀ ପ୍ରାଣ ହରାଇଥିଲା।

ବେନିଭାଇଙ୍କୁ ହତ୍ୟା କରିବାରେ ସେମାନେ ନିଶ୍ଚୟ ସକ୍ଷମ ହେବେ ବୋଲି କଂସ ମହାରାଜଙ୍କ ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଦରବାରରେ ନିଜ ପରାକ୍ରମ ଦେଖାଇଥିଲେ। ସେହିପରି କଂସ ମହାରାଜ ମଧ୍ୟ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ବେ ନିଜର ପରାକ୍ରମ ଦେଖାଇବାକୁ ରଣାଙ୍ଗନକୁ ଓହ୍ଲାଇଥିଲେ। ମାତ୍ର ଶେଷରେ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ଏବଂ ବଳରାମଙ୍କ ହଳଧର ମୁଦଗରରେ କଂସଙ୍କ ନିଧନ ହୋଇଥିଲା ଏବଂ ମହାରାଜା ଉଗ୍ରସେନଙ୍କ ପୁଣି ରାଜାଭିଷେକ ହୋଇଥିଲା। ସେହିପରି ଶ୍ରୀକୃଷ୍ଣ, ବଳରାମ ମଥୁରା କାରଗାରକୁ ଯାଇ ବନ୍ଦୀ ଥିବା ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲେ।

ଏହାପରେ ମଥୁରାବାସୀ ବାଣ ଫୁଟାଇ ଏବଂ ଲଡୁ ବାଣ୍ଟି ଖୁସି ମନାଇଥିଲେ। ଶେଷରେ କଂସ ଅଭିନେତା ସୁଶିଲ ମେହେର ପାପରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଆଜି ମହୋଦଧିରେ ସେ ସ୍ନାନ ସହିତ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପାତ୍ରମନ୍ତ୍ରୀ, ସେନାପତି ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ନୃସିଂହନାଥକୁ ଯାଇ ଗୋକୁଣ୍ଡ ଘାଟରେ ସ୍ନାନ କରି ନୃସିଂହନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି ।

 

Shrutilipi ad