କେନ୍ଦ୍ରାପଡ଼ା (ବିକାଶ ବେହେରା) : ସ୍ଥାନୀୟ କୁଦାନଗରୀ ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଅଧିକାରୀ (ଆଇଆଇସି) ଜଗନ୍ନାଥ ପାଣିଗ୍ରାହୀଙ୍କୁ ସ୍ଥାନୀୟ ବଡ଼ବେତରା ଗ୍ରାମପଞ୍ଚାୟତର ସମାଜସେବୀ ଦିଲ୍ଲୀପ ମହାପାତ୍ର ସୌଜନ୍ୟ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି।
ଏହି ଅବସରରେ ଶ୍ରୀ ମହାପାତ୍ର ନୂତନ ଆଇଆଇସିଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ତାଙ୍କ ନୂଆ ଦାୟିତ୍ୱ ପାଇଁ ଶୁଭକାମନା ଜ୍ଞାପନ କରିଥିଲେ। ଆଲୋଚନା କ୍ରମରେ ଶ୍ରୀ ମହାପାତ୍ର ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି, ଜନସାଧାରଣଙ୍କ ସୁରକ୍ଷା ଏବଂ ସ୍ଥାନୀୟ ସମସ୍ୟାବଳୀ ସମ୍ପର୍କରେ ନୂତନ ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ନୂତନ ଆଇଆଇସି ଶ୍ରୀ ପାଣିଗ୍ରାହୀ ଏହି ସ୍ୱାଗତକୁ ସ୍ୱୀକାର କରିବା ସହ ଅଞ୍ଚଳବାସୀଙ୍କ ସହଯୋଗରେ ଏକ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ତାଙ୍କ ପ୍ରାଥମିକତା ରହିବ।
ଏହି ସୌଜନ୍ୟ ସାକ୍ଷାତ ଅଞ୍ଚଳରେ ପୋଲିସ-ଜନତା ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ବିବେଚିତ ହେଉଛି।

