ବାରିପଦା : ଅଲଚିକି ଲିପି, ସାନ୍ତାଳୀ ଭାଷା ସାହିତ୍ୟର ବରିଷ୍ଠ ପ୍ରଚାରକ, ମିସନ ଅଲଚିକିର ଦୃଢ଼ ସଂଗଠକ ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ଫାଗୁନର ପରିଚାଳିକା ଏବଂ ସମ୍ପାଦିକା, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ , ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଗଠନ (ଆସେକା) ର ଆଜୀବନ ସଦସ୍ୟା, ସାଓହେଁଦ ଆଖଡାର ସଭାନେତ୍ରୀ ଶ୍ରୀମତୀ ମାଳତୀ ମୁର୍ମୁ ଆଉ ଆମ ଗହଣରେ ନାହାନ୍ତି । ଆଜି ୩୧/୧୨/୨୦୨୫ ରାତ୍ରି ୧ ଘଟିକା ରେ ତାଙ୍କ ଭୁବନେଶ୍ବର ୬ ନଂ ସ୍ଥିତ ସରକାରୀ ବାସ ଭବନରେ ୫୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ।
ଭୁବନେଶ୍ୱରରେ ତାଙ୍କ ସହ ତାଙ୍କ ସ୍ବାମୀ ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ ଅଚିକି ପ୍ରଚାରକ ମାଙ୍ଗାତ୍ ମୁର୍ମୁ ଓ ତାଙ୍କର ଦୁଇ ଝିଅ ତାଙ୍କ ସହ ଥିଲେ ।
ଆଜି ବୁଧବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ନିଜ ଗ୍ରାମ ଚାନ୍ଦୁଆ ଠାରେ ତାଙ୍କର ଅନ୍ତେଷ୍ଟିକ୍ରିୟା କରାଯାଇଅଛି ।
ମାଳତୀ ମୁର୍ମୁଙ୍କ ଜନ୍ମ ୧୧ ଫେବ୍ରୁଆରୀ ୧୯୭୫ କୁଳିଅଣା ବ୍ଲକ ଗୟଳଟା ଠାରେ ପିତା ମଙ୍ଗଲ ମୁର୍ମୁ ମାତା ଶର୍ମା ମୁର୍ମୁଙ୍କ କୋଳରେ ହେଇଥିଲା । ତାଙ୍କର ତିନି ଭାଇ ଏବଂ ତିନି ଭଉଣୀଙ୍କ ମଧ୍ୟରେ ସେ ସମସ୍ତଙ୍କଠାରୁ ବଡ଼ ଥିଲେ ।
ସେ ଆସେକା ବୋର୍ଡରୁ ସାନ୍ତାଳୀ ଭାଷାରେ ମେଟ୍ରିକ ପାସ କରିଥିଲେ, ୨୧ ଜୁନ ୧୯୯୧ରେ ମାଙ୍ଗାତ୍ ମୁର୍ମୁଙ୍କ ସହ ତାଙ୍କର ବିବାହ ହୋଇଥିଲା ।
•✓ ଶ୍ରୀମତୀ ମୁର୍ମୁ ବିବାହ ପରେ ସେ ନିଜର ଜୀବନକୁ ସାନ୍ତାଳୀ ଭାଷା ଅଲଚିକି ଲିପିର ପ୍ରଚାର ପ୍ରସାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।
ତାଙ୍କ ସ୍ବାମୀ ଶ୍ରୀ ମାଙ୍ଗାତ ମୁର୍ମୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଜୟେଣ୍ଟ ସେକ୍ରେଟାରୀ ଭାବରେ କାର୍ଯ୍ୟରତ । ସୂଚନା ଯୋଗ୍ୟକି ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ରାଇରଙ୍ଗପୁର ଠାରେ
ଅନୁଷ୍ଠିତ ହୋଇଥିବା ଅଲଚିକି ଲିପିର ଶତବାର୍ଷିକ ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜୟନ୍ତୀରେ ସେହିଭଳି ରାଷ୍ଟ୍ରପତି ମୁଖ୍ୟ ଅତିଥି ଥିବା ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ଦ୍ବାରା ଆୟୋଜିତ ଅଲଚିକି ଲିପିର ଶତବାର୍ଷିକ ପାଳନ ଉତ୍ସବରେ ସାନ୍ତାଳୀ ଭାଷାରେ ଜୀବନ ବ୍ୟାପି ଅବଦାନ ନିମନ୍ତେ ମାଳତୀ ମୁର୍ମୁ ଙ୍କୁ ସମ୍ମାନିତ କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଅଛି l

