ବନ୍ତ/ଆଗରପଡ଼ା:”ପ୍ରଜ୍ଞାନ ମିଶନ” ହରିହରାନନ୍ଦ ଗୁରୁକୁଳମ ପୁରୀ ତରଫରୁ ସପ୍ତମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ୨୬ରିଖ ଠାରୁ ୨୮ରିଖ ପର୍ଯ୍ୟନ୍ତ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ ପୁରୀ ଠାରେ ଅନୁଷ୍ଠିତ ହେଇଥିଲା । ଏହି ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରପଡାର ପଂଚମ ଶ୍ରେଣୀ ଛାତ୍ର ଅନ୍ୱେଶ ବିଶ୍ୱାଳ ଅଂଶ ଗ୍ରହଣ କରି ସ୍ୱତନ୍ତ୍ର ଭାବେ ପ୍ରଥମ ସ୍ଥାନ ଅଧିକାର କରି ପରମ ପୂଜ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବ,ପରମ ପୂଜନୀୟ ପରମହଂସ ପ୍ରଜ୍ଞାନାନନ୍ଦ ଗୁରୁଜୀଙ୍କ କରକମଳରୁ ପୁରସ୍କାର, ଉପଢୌକନ ଓ ଆଶୀର୍ବାଦ ପ୍ରାପ୍ତ କରି ପରମ ସୌଭାଗ୍ୟର ଅଧିକାରୀ ହେବା ସହିତ ନିଜ ବିଦ୍ୟାଳୟ ପାଇଁ ଗୌରବ ଆଣିବା ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ଜନ୍ମସ୍ଥାନ ଆଗରପଡା ତଥା ନିଜ ଗ୍ରାମ ପୁରୁଷଣ୍ଢ ଓ ନିଜ ପରିବାର ପାଇଁ ଏକ ବିରଳ ଗୌରବ ଆଣିପାରିଛନ୍ତି । ଶ୍ରୀମାନ ଅନ୍ୱେଶ ୨୦୨୩ -୨୪ ବର୍ଷରେ ମଧ୍ୟ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପରମ ପୂଜ୍ୟ ଗଜପତି ମହାରାଜା ଓ ପ୍ରଜ୍ଞାନ ବାବାଙ୍କ ନିକଟରୁ ପୁରସ୍କୃତ ହୋଇ ଆଶୀର୍ବାଦ ଲାଭ କରିଥିଲେ । ଅନ୍ୱେଶ ଜଣେ ମେଧାବୀ ଛାତ୍ର ଅଟନ୍ତି । ପୁରୁଷଣ୍ଢ ଗ୍ରାମ ନିବାସୀ ଶିକ୍ଷକ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ ମାତା ସୁଗୃହିଣୀ ମଳୟ ମଞ୍ଜରୀ ବିଶ୍ୱାଳଙ୍କର ସୁପୁତ୍ର ଅଟନ୍ତି ଅନ୍ୱେଶ । ଅନ୍ୱେଶଙ୍କର ଏହି ସଫଳତାରେ ଆଗରପଡା ଅଂଚଳର ଜନ ସାଧାରଣ, ପିତାମାତା, ପରିବାରର ସମସ୍ତ ସଦସ୍ୟ,ଗୁରୁଜୀ, ଗୁରୁମା, ବନ୍ଧୁବାନ୍ଧବ ଓ ଶୁଭେଛୁ ଅଶେଷ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

