ବାରିପଦା: ବାରିପଦା ସହରର ପାଲବାଣୀ ସ୍ଥିତ ଶ୍ରୀଗୁରୁଦ୍ୱାର ସିଂ ସଭାରେ ଆଜି ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ୩୫୯ତମ “ପ୍ରକାଶ ଉତ୍ସବ” ଧାର୍ମିକ ଭକ୍ତି ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ମୟୂରଭଞ୍ଜର ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଗୁରୁ ଦର୍ଶନ ପାଇଁ ଉପସ୍ଥିତ ରହି ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ I ଗୁରୁଦ୍ୱାରକୁ ପୂର୍ବରୁ ସଫାସୁତରା କରି ସୁନ୍ଦର ଭାବେ ସଜାଯାଇଥିଲା I ଏହି ଉତ୍ସବ ଅବସରରେ ଗୁରୁବାଣୀ ପାଠ,କୀର୍ତନ ଅନୁଷ୍ଠିତ ହୋଇଥିଲା I ପରେ ସର୍ବସାଧାରଣ ଲଙ୍ଗର ସେବାର ବ୍ୟବସ୍ଥା କରାଯାଇଥିଲା I ସମସ୍ତ ଭକ୍ତମାନେ ମିଳିମିଶି ପ୍ରସାଦ ପ୍ରସ୍ତୁତ କରିଥିଲେ ଓ ଜାତି, ଧର୍ମ, ବର୍ଣ୍ଣ ଭେଦ ଭାବ ଛାଡ଼ି ପଂକ୍ତିରେ ବସି ପ୍ରସାଦ ସେବନ କରିଥିଲେ, ଯାହା ସମାନତା ଓ ଭାଇଚାରାର ସନ୍ଦେଶ ଦେଇଥିଲା I ଏହି ଅବସରରେ ଡିସେମ୍ବର ୨୬ ତାରିଖକୁ ‘ବାଲ ଦିବସ’ ରୂପେ ଘୋଷଣା କରାଯାଇଥିବାରୁ ବାରିପଦାର ଶିଖ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି I ସୁଖଦୀପ ସିଂହ, ପଲବିନ୍ଦର ସିଂହ, ଅବତାର ସିଂହ, ମାଖନ ସିଂହ, ଦେବିନ୍ଦର ସିଂହ, ରବିନ୍ଦର ସିଂହ, ଚରଣଜୀତ ସିଂହ, ବଳଦେବ ସିଂହ, ହରଚରଣ ସିଂହ, ସତନାମ ସିଂହ, ମହିନ୍ଦର ସିଂହ, ସହିନ୍ଦର ସିଂହ, ଜଗତାର ସିଂହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ୨୬ ତାରିଖ ଦିନ ବାଲ ଦିବସରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାମ୍ବାଦିକ କବି ବିଷ୍ଣୁ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ I

