Photo for the news of sisu batika

ବନ୍ତ ବ୍ଲକରେ ଜାତୀୟ ଶିକ୍ଷାନୀତି ସଫଳତା ନେଇ ପ୍ରଶ୍ନବାଚୀ

ରାଜ୍ୟ
  • ବାଟିକାରେ ଶିଶୁଙ୍କ ଭବିଷ୍ୟତ ବାଟବଣା

ବନ୍ତ/ଆଗରପଡ଼ା: ଜାତୀୟ ଶିକ୍ଷାନୀତି-୨୦୨୦ନୀତି ଅନୁଯାୟୀ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକା ପାଠ୍ୟକ୍ରମ ଆରମ୍ଭ ହୋଇଛି । ଉକ୍ତ ଯୋଜନା ଅନୁଯାୟୀ ଶିଶୁ ବାଟିକାରେ ୫ବର୍ଷର ଶିଶୁଙ୍କ ନାମ ଳେଖା ଯାଇଛି । ଅଙ୍ଗନବାଡ଼ିରୁ ୫ବର୍ଷ ପୁରଣ କରିଥିବା ଶିଣୁ ମାନେ ପ୍ରାଥମିକ ବିଦ୍ୟାଳୟକୁ ଯାଇ ନିଜ ନାମ ଲେଖାଇଛନ୍ତି । ଜାତୀୟ ଶିକ୍ଷାନୀତି -୨୦୨୦ନୀତି ଅନୁଯାୟୀ ବାଟିକାରେ ନାମ ଲେଖାଇଥିବା ଶିଶୁମାନେ ଏବେ ସ୍କୁଲରେ ଏକ ବର୍ଷ ରହିବା ପରେ ପ୍ରଥମ ଶ୍ରେଣୀକୁ ଉର୍ତ୍ତିନ୍ନ ହେବେ । ସରକାରଙ୍କ ଏହିଭଳି ନିଷ୍ପତ୍ତି ପରେ ଭଦ୍ରକ ଜିଲ୍ଲା ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ସରକାରୀ ବିଦ୍ୟାଳୟରେ ଅନେକ ଛାତ୍ରଛାତ୍ରୀ ଶିଶୁ ବାଟିକାରେ ନାମ ଲେଖାଇଛନ୍ତି । କିନ୍ତୁ ସେମାନଙ୍କ ପାଇଁ ବହୁ ବିଦ୍ୟାଳୟରେ ଉନ୍ନତ ଶୈକ୍ଷିକ ବାତାବରଣ ନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବହୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ କେଉଁଠି ୨ଟି ଗୃହରେ ୫ଟି ଶ୍ରେଣୀ ତ ଆଉ କେଉଁଟି ଗୋଟିଏ ଗୃହରେ ୪ଟି ଶ୍ରେଣୀର ପାଠପଢା ଚାଲିଛି । ଏହିଭଳି ସ୍ଥିତିରେ ଶିଶୁ ବାଟିକାରେ ନାମ ଲେଖାଇଥିବା ପିଲାମାନେ ମଧ୍ୟ ଆରମ୍ଭରୁ ଶ୍ରେଣୀ ଗୃହ ସମସ୍ୟାର ସମ୍ମୁ୍‌ଖିନ ହେଲେଣି । ଗୋଟିଏ ଗୃହରେ ଅନ୍ୟ ଶ୍ରେଣୀର ପିଲାଙ୍କ ସହିତ ବସି ପଢିବା ଦ୍ୱାରା ସେମାନେ ନୂତନ ଭାବେ ପ୍ରଚଳିତ ଶିକ୍ଷାନୀତିର କ’ଣ ଲାଭ ପାଇପାରିବେ ତାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଇତି ମଧ୍ୟରେ ନୂତନ ଶିକ୍ଷାବର୍ଷକୁ ୯ମାସ ବିତିବାକୁ ବସିଥିଲେ ସୁଦ୍ଧା ବାଟିକାରେ ସେବିକା ନିଯୁକ୍ତି ନେଇ ସ୍ପଷ୍ଟ ଚିତ୍ର ଆସି ନଥିବାରୁ ଯୋଜନାର ସଫଳତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପର ପକ୍ଷରେ ସରକାର ପରିଚାଳନା କମିଟିର କାର୍ଯ୍ୟାକାଳର ସମୟସୀମାକୁ ବଢାଇଥିଲେ ସୁଦ୍ଧା ସେବିକା ନିଯୁକ୍ତି ପାଇନଥିବାରୁ ଶିଶୁବାଟିକାରେ ଶିକ୍ଷାଦାନ କ୍ଷେତ୍ରରେ ସମସ୍ୟା ଲାଗି ରହିଛି । ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ;୫ବର୍ଷର ପିଲାଙ୍କ ଶିଶୁ କାଟିକାରେ ନାମଲେଖାଯିବ । ଖେଳକୁଦ ସମେତ ସେମାନଙ୍କ ବୌଦ୍ଧିକ ବିକାଶ ହେବା ନେଇ ପ୍ରଶିକ୍ଷଣ ଦିଆଯିବ । ଏମାନଙ୍କ ତତ୍ୱାବଧାରକ ଭାବେ ସେବିକା ନିଯୁକ୍ତି ଦିଆଯିବ । ସେମାନେ ବାଟିକାର ଶିଶୁଙ୍କ ସେବା ଓ ଯତ୍ନ କରିବା ସହ ନାଚଗୀତ ଆଦି ଶିଖାଇବେ । ଶିକ୍ଷାନୀତିରେ ଏହି ସବୁ ନିୟମ ଥିଲେ ସୁଦ୍ଧା ଅଦ୍ୟାବଧି ସେବିକା ନିଯୁକ୍ତି ପାଇନାହାନ୍ତି । ଏବଂ ସେବିକା ନିଯୁକ୍ତିରେ ସରକାରଙ୍କ ତରଫରୁ ଯେଉର୍ ସବୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ତାହା ମଧ୍ୟ ସେବିକା ନିଯୁକ୍ତିର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇତି ମଧ୍ୟରେ ନୂତନ ଶିକ୍ଷାବର୍ଷର ଅଧାରୁ ଅଧିକ ବର୍ଷ ବିତିଯାଇଥିଲେ ସୁଦ୍ଧା ବାଟିକା ପାଇଁ ପ୍ରଚଳିତ କୌଣସି ଗୋଟିଏ ନିୟମ ମଧ୍ୟ ପାଳିତ ହୋଇପାରିନଥିବାରୁ ଉକ୍ତ ଶିକ୍ଷାନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ୍ତ ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଗତି କରୁଥିବା ବେଳେ ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ନୂତନ ଭାବେ ଆରମ୍ଭ ହୋଇଥିବା ଉକ୍ତ ଯୋଜନାର ସଫଳତାକୁ ନେଇ ଶିକ୍ଷାବିତ୍‌ଙ୍କ ସମେତ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ତେଣୁ ଜାତୀୟ ଶିକ୍ଷାନୀତି-୨୦୨୦କୁ ସଫଳ କରିବା ପାଇଁ ଏହାର ନୀତି ଓ ଆଦର୍ଶକୁ ଯଥା ଶୀଘ୍ର ପାଳନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad