Photo for the news of bluetooth

ବିପଦ ସାଜିଛି ବ୍ଲୁଟୁଥ, ଯୁବପିଢ଼ୀଙ୍କ କ୍ଷେତ୍ରରେ ବଢିଚାଲିଛି ଶ୍ରବଣ ଜନିତ ସମସ୍ୟା

ରାଜ୍ୟ

ବନ୍ତ/ଆଗରପଡ଼ା: ବିନା ମୋବାଇଲରେ ଜୀବନ ଅତିବାହିତ କରିବା କଷ୍ଟକର ବ୍ୟାପାର ପାଲଟିଛି । ଏହାର ପ୍ରଭାବ ଏତେ ବଢି ଯାଇଛି ଯେ ବର୍ତ୍ତମାନ ଯୁବପିଢୀ ମୋବାଇଲ ତ ବ୍ୟବହାର କରୁଛନ୍ତି ତତ୍‌ସହିତ ବ୍ଲୁଟୁଥ,ଇଅର ଫୋନ ଓ ହେଡ୍ ଫୋନ କୁ ମଧ୍ୟ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଯଦ୍ୱାରା ସେମାନଙ୍କ କ୍ଷେତ୍ରରେ କାନଜନିତ ସମସ୍ୟା ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ଅଂଚଳରେ ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେବ କାନଜନିତ ସମସ୍ୟା ଦେଖିବାକୁ ମିଳୁଛି । କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ କାନଜନିତ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଯୁବପିଢୀ ଚିକିତ୍ସା ପାଇଁ ଆସୁଥିବାର ସୂଚନା ମିଳିଛି । କାନଜନିତ ସମସ୍ୟାର ପ୍ରତିକାର ପାଇଁ ବହୁ ଯୁବପିଢୀ କର୍ଣ୍ଣ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଥିବା ମଧ୍ୟ ଜଣାପଡିଛି । ଅତ୍ୟାଧୁନିକ ବିଦ୍ୟୁତ ଉପକରଣ ଠାରୁ ଆରମ୍ଭ କରି ବ୍ଲୁଟୁଥ ହିଁ କାନଜନିତ ସମସ୍ୟାର କାରଣ ପାଲଟିଥିବା ବେଳେ ଏଭଳି ସାମଗ୍ରୀକୁ ଯୁବପିଢୀ ଯଥାସମ୍ଭବ କମ ବ୍ୟବହାର ନକଲେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି । ସଂପ୍ରତି ବ୍ଲୁଟୁଥ,ଇଅର ଫୋନ ଓ ହେଡ୍ ଫୋନ ବ୍ୟବହାର କରିବା କେତେକ ଯୁବପିଢୀଙ୍କ କ୍ଷେତ୍ରରେ ଏକ ଫ୍ୟାସନ ପାଲଟିଯାଇଛି । ବନ୍ତ ବ୍ଲକର ବିଭିନ୍ନ ଅଂଚଳର ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବ୍ଲୁଟୁଥ ବ୍ୟବହାର ଦିନକୁ ଦିନ ଏତେମାତ୍ରାରେ ବଢିବାରେ ଲାଗିଛି ଯେ ମୋଟର ସାଇକେଲ କିମ୍ବା ବାଇକ ଚଳାଇବା ସମୟରେବି ଏହି ଯନ୍ତ୍ରଟି କାନରେ ଲାଗିରହୁଛି । ଗାଡିଚଳାଇବା ବେଳେ ବହୁ ଯୁବପିଢୀ ଏହି ବ୍ଲୁଟୁଥ ମାଧ୍ୟମରେ କଥାବାର୍ତ୍ତା ହୋଇ ଗାଡିଚାଳନା କରୁଥିବା ବେଳେ ଅନ୍ୟ କେତେକ ଗୀତ ଶୁଣିବା ପାଇଁ ବି ଏହାର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କଲେ ଏଥିପାଇଁ ସରକାରଙ୍କ ତରଫରୁ ଦଣ୍ଡ ବିଧାନ ଥିବାରୁ ବ୍ଲୁଟୁଥ ବ୍ରବହାର କରି ଯୁବପିଢୀ ଦଣ୍ଡରୁ ମୁକ୍ତି ପାଇବାର ଉପାୟ ଅବଲମ୍ବନ କରୁଥିଲେ ବି କାନରେ ଲାଗୁଥିବା ବ୍ଲୁଟୁଥ,ଇଅର ଫୋନ ଓ ହେଡ୍ ଫୋନର ବହୁଳ ବ୍ୟବହାର ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଉଛି ତାକୁ ଜାଣିବା ପାଇଁ ପ୍ରାୟତଃ କାହାରି ପାଖରେ ସମୟ ନଥିବା ପରି ଜଣାପଡ଼ୁଛି । ତେଣୁ ଉକ୍ତ ଉପକରଣର ମାତ୍ରାଧିକ ବ୍ୟବହାର କରିବା ଶ୍ରବଣ ଜନିତ ସମସ୍ୟାକୁ ଡ଼ାକିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥିବାରୁ ବ୍ଲୁଟୁଥ,ଇଅର ଫୋନ ଓ ହେଡ୍‌ଫୋନର ବହୁଳ ବ୍ୟବହାରରୁ ନିଜକୁ ଯୁବପିଢୀ ନିବୃତ ରହିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

 

 

Shrutilipi ad