- ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନବାଚୀ
ବନ୍ତ/ଆଗରପଡ଼ା: ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ୍ ପମ୍ପରେ ‘ନୋ ହେଲମେଟ ନୋ ପେଟ୍ରୋଲ’ ସ୍ଳୋଗାନ ପ୍ରହସନ ପାଲଟିଛି । ଏହି ସରକାରୀ ନିୟମ ୧୦ବର୍ଷ ହେଲା କେବଳ ସାଇନ୍ବୋର୍ଡ଼ରେ ସୀମିତ ରହିଯାଇଛି । ଗତ ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବାଇକ୍ ଚାଳକମାନେ ହେଲମେଟ ବ୍ୟବହାର କରିନଥିଲେ ପମ୍ପରୁ ପେଟ୍ରୋଲ୍ ଦିଆଯିବ ନାହିଁ ବୋଲି ନିୟମ କରାଯାଇଥିଲା । ମାତ୍ର କୈାଣସି ପେଟ୍ରୋଲ୍ ପମ୍ପରେ ଏହି ନିୟମ ପ୍ରାୟ ପାଳନ କରାଯାଉନାହିଁ । କେବଳ ପୋଲିସ୍,ଆରଟିଓଙ୍କ ପକ୍ଷରୁ ରାସ୍ତାଘାଟରେ କାଁଭାଁ ବାଇକ୍ ଆରୋହୀଙ୍କର ହେଲମେଟ ସହ ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯାଉଥିବାର ଦେଖିବାକୁ ମିଳୁଛି । ବିନା ହେଲମେଟ ବାଇକ୍ ଚାଲକଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡ଼ୁଛି । ବାଇକ୍ ଚଳାଇବା ସମୟରେ ନିଜ ନିରାପତ୍ତା ପାଇଁ ହେଲମେଟ ଏକାନ୍ତ ଜରୁରୀ ମାତ୍ର ସେଥିପ୍ରତି କାହାର ଭୃପେକ୍ଷ ନାହିଁ । ବିଭିନ୍ନ କଂପାନୀ ପକ୍ଷରୁ ସଚେତନତା ସୃଷ୍ଟି କରିବା ପାଇଁ ମାଗଣାରେ ହେଲମେଟ ଦିଆଯାଉଛି ମଧ୍ୟ । ମାତ୍ର ହେଲମେଟ ପିନ୍ଧିବାକୁ ବାଇକ୍ ଚାଳକ କୁଣ୍ଠାବୋଧ କରୁଛନ୍ତି ଓ ବିପଦକୁ ଡ଼ାକି ଆଣୁଛନ୍ତି । ତେଣୁ ଏହି ସବୁ କୁ ଆଖି ଆଗରେ ରଖି ସରକାର ‘ନୋ ହେଲମେଟ ନୋ ପେଟ୍ରୋଲ’କୁ କଡ଼ାକଡ଼ି ପାଳନ କରିବା ପାଇଁ ପ୍ରତି ପେଟ୍ରୋଲ ପମ୍ପ ମାଲିକ ମାନଙ୍କୁ ତାଗିତ କରିବା ସହ ଏହାର ଯାଂଚ କରିବା ନିମନ୍ତେ ଗତ ୨୦୨୩ ଜୁନ ମାସରେ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ନିର୍ଦ୍ଦେଶାନୁସାରେ ଯୋଗାଣ ଅଧିକାରୀ ତାଙ୍କ ଅଂଚଳର ପେଟ୍ରୋଲ ପମ୍ପକୁ ଯାଇ ସେଠାରେ ଲାଗି ଥିବା ସିସି କେମେରାକୁ ଯାଂଚ କରି ସେଥିରୁ ନିୟମକୁ ଅବହେଳା କରୁଥିବା ବାଇକ ଚାଳକ ସମେତ ଉକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ଉପରେ ଜରିମାନା ଲଗାଇବା ହେବେ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ନିର୍ଦ୍ଦେଶ କୁ ଇତି ମଧ୍ୟରେ ୨ବର୍ଷରୁ ଅଧିକ ସମୟ ବିତିଯାଇଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଯାଇଛି । ତେଣୁ ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରୀ ନିୟମକୁ ପ୍ରତି ପେଟ୍ରୋଲ୍ ପମ୍ପ କଡ଼ାକଡ଼ି ଭାବେ ମାନିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ବେଳେ ପରିବହନ କମିଶନର ତଥା ଅଧ୍ୟକ୍ଷ,ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଗତ ୨୦ତାରିଖରେ ବିଭିନ୍ନ ତୈଳ ଯୋଗାଣକାରୀ ସଂସ୍ଥାର ରାଜ୍ୟ ମୁଖ୍ୟଙ୍କୁ ବିନା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ରରେ ସେମାନଙ୍କ ବିତରକଙ୍କୁ କୌଣସି ମୋଟର ଚାଳକଙ୍କୁ ତେଲ ଦେବାରୁ ନିବୃତ ରହିବା ପାଇଁ ଆଦେଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ପ୍ରଦୂଷଣ ନିୟନ୍ତ୍ରଣରେ ନ ଆସିଲେ ପରିବେଶ ଦୂଷିତ ହେବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଯାଉଛି । ଏହାକୁ କେହିବି ଯଦି ନ ମାନନ୍ତି ତେବେ ମୋଟର ଯାନ ଅଧିନିୟମ ଅନୁସାରେ ତାକୁ ଦଣ୍ଡିତ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ନାମାରେ ଉଲ୍ଲେଖ କରିଛନ୍ତି । ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପରିବହନ କମିଶନର ତଥା ଅଧ୍ୟକ୍ଷ,ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଚେଷ୍ଟା ଜାରୀ ରହିଥିଲେ ସୁଦ୍ଧା ଉକ୍ତ ନିର୍ଦ୍ଦେଶ ନାମା କେତେ କାର୍ଯ୍ୟକାରୀ ହୋଇ ପାରିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୍କାରଣ
‘ନୋ ହେଲମେଟ ନୋ ପେଟ୍ରୋଲ’ ସ୍ଳୋଗାନ ପ୍ରହସନ ପାଲଟିଥିବା ବେଳେ ପ୍ଲଷ୍ଟିକ ବୋଟଲରେ ତେଲ ଦେବାରୁ ନିବୃତ ରହିବା ନିୟମ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବିନା ପେଟ୍ରୋଲ ଓ ଡ଼ିଜେଲ ନଦେବା କେତେ ଦୂର ସଫଳ ହେବ ତାହା ସମୟ କହିବ ।

