- ଖବର ପ୍ରକାଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ଆଗରପଡ଼ା,ତା୧୯/୧୨(ପିଏନଏସ):ଗତ ୨୩ ତାରିଖରେ “ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର”ଶୀର୍ଷକ ଖବର ଦୈନିକ ‘ପ୍ରଗତିବାଦୀ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ୧ମାସ ବିତିବାକୁ ବସିଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଭବିଷ୍ୟତରେ କୌଣସି ଅଘଟଣ ଘଟିବା ନେଇ ଚିନ୍ତାରେ ଅଂଚଳବାସୀ ଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଆଗରପଡ଼ା ବିଦ୍ୟୁତ୍ ବିଭାଗ ଅଧିନସ୍ଥ କାଦବରାଙ୍ଗ ଗ୍ରାମପଂଚାୟତର ବନ୍ତଳା ଗ୍ରାମର ଅଙ୍ଗନବାଡ଼ି,ଖେଳପଡ଼ିଆ ଓ ଶିବ ମନ୍ଦିର ନିକଟରେ ବିପଦ ସଂକୁଳ ଏବଂ ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅଛି । ମଣିଷ ଏବଂ ଗାଈ ଗୋରୁଙ୍କ ସମେତ କୁନିକୁନି ପିଲାଙ୍କ ପାଇଁ ବିପଦ ସାଜିଛି । ତେଣୁ ଉକ୍ତ ଟ୍ରାନ୍ସଫର୍ମରର ସୁରକ୍ଷା ପାଇଁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାକୁ ବନ୍ତଳାବାସୀଙ୍କ ପକ୍ଷରୁ ଦାବି ହେଉଥିବା ଖବର ଦୈନିକ ‘ପ୍ରଗତିବାଦୀ’ରେ ପ୍ରକାଶ ପାଇଥିଲା । ସେହିପରି ବନ୍ତ ବ୍ଳକ ମଙ୍ଗୁଲି ସ୍ଥିତ ବ୍ରାହ୍ମଣସାହିରେ ଥିବା ୬୩ କେଭି ବିଦ୍ୟୁତ ସବଷ୍ଟେସନଟି ବିପଦସଙ୍କୁଳ ଅବସ୍ଥାରେ ରହିଛି । ବହୁ ବର୍ଷ ପୂର୍ବେ ଏ ସିମେଣ୍ଟ ଖୁଣ୍ଟରେ ତିଆରି ହୋଇଥିଲା । ବର୍ଷା, ପବନରେ ଷ୍ଟ୍ରକଚରଟି ଦୋହଲୁ ଥିବାରୁ ଜନ ଜୀବନ ପ୍ରତି ବିପଦ ସ ରହୁଛି । ଏହାର ଏୟାର ବ୍ରେକ ସୁଇଚ ଠିକ ଭାବେ କାର୍ଯ୍ୟ କରୁନାହିଁ । ବହୁ ସମୟରେ ଉପଭୋକ୍ତା ବିଜୁଳି ପାଇବାରୁ ବଂଚିତ ହେଉଛନ୍ତି । ବର୍ତ୍ତମାନ ଏହି ସବଷ୍ଟେସନଟି ଢଳି ରହିଥିବାରୁ କର୍ମଚାରୀଙ୍କ ସହ ଅଂଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ପୁରୁଣା ସିମେ ଖୁଣ୍ଟକୁ ପରିବର୍ତନ କରି ଲୁହା ଖୁଣ୍ଟି ବସାଇବା ସହ ଏବି ସୁଇଚ୍ ମରାମତି କରିବା ଲାଗି ଗ୍ରାମର ନାରାୟଣ ଦା-ସୁଶାନ୍ତ କୁମାର ପତି, ପ୍ରଶାନ୍ତ ପତି, ଚନ୍ଦନ ପତି, ଆନନ୍ଦ କର, ବିନୋଦ କର, ବିଙ୍ଗ ପତି, ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସମେତ ବହୁ ଉପଭୋକ୍ତା ବାଲେଶ୍ୱର ଟିପିଏନଓଡିଏ ପରିଚାଳନା ନିର୍ଦ୍ଦେଶକ, ଭଦ୍ରକ ଅଧୀକ୍ଷଣ ଯନ୍ତ୍ରୀ ଓ ବନ୍ତ ସହକାରୀ କାର୍ଯ୍ୟ ନିର୍ବାହୀ ପରିଚାଳକଙ୍କ ଠାରେ ଲିଖିତ ଅଭିଯୋଗ କରିବାକୁ ଇତି ମଧ୍ୟରେ ୧ମାସରୁ ଅଧିକ ସମୟ ବିତି ଯିବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

