ବାରିପଦା: ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏହି ଖେଳକୁଦ ପ୍ରତିଯୋଗିତାକୁ ଉଦଘାଟନ କରିବା ସହ କ୍ରୀଡା ଶାରୀରିକ ତଥା ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା ଓ ପ୍ରଦୀପ କୁମାର ବେହେରା, ବୋକ୍ସିଙ୍ଗ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ଏଥଲେଟିକ ସମ୍ପାଦକ ଅମ୍ବିକା ରାଉତ, ଫୁଟବଲ ସମ୍ପାଦକ ଅମର କୁମାର ସେଠୀ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ତଥା ବରିଷ୍ଠ କ୍ରୀଡ଼ାବିତ ମଣ୍ଟୁ ଦା, ଭାନୁପ୍ରତାପ ଭଞ୍ଜଦେଓ ଓ ମନୋରଞ୍ଜନ ଜୀଉ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ଶହ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ୩୦ ଜଣ କ୍ରୀଡା ପ୍ରଶିକ୍ଷକ ଖେଳ ପରିଚାଳନା କରିଥିଲେ I ୧୪, ୧୬, ୧୮, ୨୦, ୨୩ ବର୍ଷରୁ କମ ବାଳକ ବାଳିକା ତଥା ପୁରୁଷ ଓ ମହିଳା ବିଭାଗରେ ଦୌଡ଼, ଲମ୍ବଡିଆଁ, ଡିସ୍କସ, ସଟପୁଟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ରାଇରଙ୍ଗପୁର ଓ କରଞ୍ଜିଆ ସବ ଡିଭିଜନରୁ ପୂର୍ବତନ ଜାତୀୟ କ୍ରୀଡ଼ାବିତ ଦିଗେଶ୍ୱର ମହାନ୍ତ ଓ ତ୍ରିଲୋଚନ ମହାନ୍ତ ଖେଳାଳି ମାନଙ୍କ ସହ ଯୋଗଦେଇଥିଲେ I

