- ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ଜୟନ୍ତୀ ପାଳନ ନିମିତ୍ତ ପ୍ରସ୍ତୁତି
ବାରିପଦା: ଆମେ ମୟୂରଭଞ୍ଜିଆ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ଜୟନ୍ତୀ (ଗୌରବ ଦିବସ)ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବିଶିଷ୍ଟ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀ ବୈଠକରେ ଚଳିତ ବର୍ଷର ଉତ୍ସବ ପାଳନର କାର୍ଯ୍ୟଖସଡ଼ା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା l ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ବିବରଣୀ ପ୍ରକାଶ କରିବା ସହ ଚଳିତ ବର୍ଷ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପୂର୍ବତନ ସଚିବ ତଥା ବିଶିଷ୍ଟ ଲେଖକ ଡ଼ ଅରୁଣ କୁମାର ରଥ ଙ୍କୁ ମର୍ଯ୍ୟାଦା ଜନକ ଭଞ୍ଜ ଗୌରବ ଉପାଧିରେ ସମ୍ମାନିତ କରାଯିବ ବୋଲି ସୂଚନା ଦେଇଥିଲେ l ଏହି ଅବସରରେ ଦୁଇ ଦିନ ଧରି ସ୍କୁଲ କଲେଜ ଓ ଗୃହିଣୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମଧ୍ୟ ସୂଚନା ଦିଆ ଯାଇଛି l ସୂଚନା ମୁତାବକ ଶହୀଦ ସ୍ମୃତି ନିକଟସ୍ଥ ଶିଶୁ ଉଦ୍ୟାନ ପରିସରରେ ଥିବା ବ୍ୟାଣ୍ଡ ଷ୍ଟାଣ୍ଡ ରେ ଡିସେମ୍ବର 14 ତାରିଖ ଅପରାହ୍ନ 2ଟା 30 ମିନିଟ ସମୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆମ ଐତିହ୍ୟ ଶୀର୍ଷକରେ ଏବଂ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ପୋଟ୍ରେଟ ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଏଥି ସହିତ କଲେଜ ପିଲାଙ୍କ ମଧ୍ୟରେ ମୁଁ ମୟୂରଭଞ୍ଜିଆ ମୋ ବରପୁତ୍ର ଓ ସ୍କୁଲ ପିଲାଙ୍କ ମଧ୍ୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ କୃତୀ ଓ କୀର୍ତ୍ତି ଉପରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହେବ l ଅପରାହ୍ନ 4 ଘଟିକା ରେ ମହିଳା ମାନଙ୍କ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହେବ l
ସେହି ପରି 17 ତାରିଖରେ ମୋ ମୟୂରଭଞ୍ଜ ମୋ ମହାରାଜା ପ୍ରସଙ୍ଗ ରେ ଆଲୋଚନା ଚକ୍ର ସହିତ ଅପରାହ୍ନ ରେ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମିମିକ୍ରି ପ୍ରତିଯୋଗିତା ଓ ମହିଳା ମାନଙ୍କ ମଧ୍ୟରେ ଝୋଟି ଓ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହେବ l ଡିସେମ୍ବର 17 ରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ଜୟନ୍ତୀରେ ଗୌରବ ଦିବସ ର କାର୍ଯ୍ୟକ୍ରମ ସକାଳ 10 ଟା ରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ରେ ଉଦଯାପିତ ହେବ l
ଏହି ଆଭାସୀ ବୈଠକରେ ବୈଜୟନ୍ତୀମାଲା ପାଲ, ଲକ୍ଷ୍ମୀଧର ଜେନା, ରଞ୍ଜନ ବେନାର୍ଜୀ, ରଜନୀ ବାରିକ, ସନ୍ଧ୍ୟାରାଣୀ ଦାସ, ସାଇ ପ୍ରକାଶ ମହାନ୍ତି ଙ୍କ ସମେତ ଆମେ ମୟୂରଭଞ୍ଜିଆ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l

