Photo for the news of road

ରାସ୍ତା ନିର୍ମାଣରେ ବାଧକ ସାଜିଛି ଜବରଦଖଲ, ଉଚ୍ଛେଦ ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ରାଜ୍ୟ

ଆଗରପଡ଼ା: ପୂର୍ତ୍ତ ବିଭାଗ ପକ୍ଷରୁ ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡ଼ା ଠାରୁ ବଡ଼ସନ୍ଦାଡ଼ୋ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟରେ ଜବରଦଖଲ ବାଧକ ସାଜିଥିବାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥପୁର,ତାଜିପୁର,କାଣ୍ଡବା ଓ ସାହୁପଡ଼ା ଆଦି ଗ୍ରାମର ଗ୍ରାମବାସୀ ଗତ ସୋମବାର ବନ୍ତ ବ୍ଲକରେ ଆୟୋଜିତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଜିଲ୍ଲାପାଳ ଅଭିଯୋଗକୁ ଗ୍ରହଣ କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ତ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ତହସିଲଦାଙ୍କୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୧୦ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ବିବରଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ମହାନ୍ତିପଡ଼ା ଠାରୁ ବଡ଼ସନ୍ଦାଡ଼ୋ ରାସ୍ତାର ଶତକଡ଼ା ୫୦ଭାଗ ନିର୍ମାଣ କାର୍ଯ୍ୟ ସରିଯାଇଥିବା ବେଳେ କାଣ୍ଡବା ଓ ତାଜିପୁର ଗ୍ରାମର କିଛି ୱାର୍ଡ଼ର ଗ୍ରାମବାସୀ ରାସ୍ତାକୁ ଜବରଦଖଲ କରିବା ସହ ସରକାରୀ ନିୟମକୁ ଉଲ୍ଲଘଂନ କରି ନିଜ ଅକ୍ତିଆରର ରଖିଛନ୍ତି । ଯଦ୍ୱାରା ରାସ୍ତା ନିର୍ମାଣରେ ବାଧା ସୃଷ୍ଟି ହେଉଛି । ବାରମ୍ବାର ପୂର୍ତ୍ତ ବିଭାଗ ଅଧିକାରୀ ଓ ତହସିଲଦାର,ବନ୍ତଙ୍କୁ ଅଭିଯୋଗ କରାଯାଉଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବର୍ଷାଧିକ କାଳ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣରେ ସୁଧାର ଆସିପାରୁନଥିବା ସେମାନେ ଅଭିଯୋଗ ପତ୍ରରେ ଉଲ୍ଳେଖ କରିଥିବା ଜଣାପଡ଼ିଛି । ତେଣୁ ଜିଲ୍ଲାପାଳ ଅଭିଯୋଗ ଉପରେ ବିଚାର କରି ବିହିତ ପଦକ୍ଷେପ ନେବା ନିମନ୍ତେ ସେମାନେ ଦାବି କରିଥିବା ଜଣାପଡ଼ିଛି ।

Shrutilipi ad