ଆଗରପଡ଼ା : ଡିସେମ୍ବର ମାସ ବର୍ଷର ଶେଷ ମାସ । ଏହି ମାସ ଶେଷ ତାରିଖ ଡିସେମ୍ବର ୩୧ତାରିଖ ପରେ ବଦଳି ଯାଇଥାଏ ପୁରୁଣା ବର୍ଷ, ପାଦ ଥାପିଥାଏ ନୂତନ ବର୍ଷ । ପୁରୁଣା ବର୍ଷ ଅପସରି ଯାଇଥିବା ବେଳେ,ନୂତନ ବର୍ଷକୁ ସ୍ୱାଗତ କରିଥାନ୍ତି ସମଗ୍ର ବିଶ୍ୱବାସୀ । ନୂଆବର୍ଷ ଆସିବାର ଦୁଇ ସପ୍ତାହ ଅବା ତିନି ସପ୍ତାହ ପୂର୍ବରୁ ନିଜର ବନ୍ଧୁ,ପରିଜନ, ସହକର୍ମୀ ତଥା ସମ୍ପର୍କୀୟଙ୍କୁ ଶୁଭେଚ୍ଛା କାର୍ଡ (ଗ୍ରୀଟିଙ୍ଗିସ) ମାଧ୍ୟମରେ ସକାରାତ୍ମକ ବାର୍ତ୍ତା ପଠାଯାଇଥାଏ । ନବେ ଦଶକରେ ଶୁଭେଚ୍ଛା କାର୍ଡ ନୂଆ ବର୍ଷ ଆଗମନରେ ପ୍ରାକ ସୂଚନା ପ୍ରଦାନ କରୁଥିଲା । ମାତ୍ର ଏବେ ସମୟ ବଦଳିଛି;ହାପି ନ୍ୟୁଇୟରର ଶୁଭେଚ୍ଛା କାର୍ଡ ବଜାରରେ ଦେଖିବାକୁ ପ୍ରାୟତଃ ମିଳୁନାହିଁ । ସମୟଚକ୍ରରେ ଶୁଭେଚ୍ଛା କାର୍ଡ ଅଲୋଡ଼ା ହୋଇ ପଡ଼ିଥିବା ବେଳେ ସୋସିଆଲ ମିଡ଼ିଆରେ ଛାଇଯାଇଛି ଶୁଭେଚ୍ଛା ବାର୍ତ୍ତା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ବଜାରରେ ଶୁଭେଚ୍ଛା କାର୍ଡ(ଗ୍ରୀଟିଙ୍ଗିସ)କାଁଭାଁ କେଉଁଠି ମିଳୁଛି, ତାହା ପୁଣି ଚଢା ଦରରେ । ପୂର୍ବରୁ ବନ୍ତ ବ୍ଳକର ବିଭିନ୍ନ ଗ୍ରାମାଚଂଳ ସମେତ ବନ୍ତ ଓ ଆଗରପଡ଼ା ବଜାରରେ ଥିବା ପ୍ରମୁଖ ଛକ ଓ ବଜାର ରେ ସ୍ୱତନ୍ତ୍ର ଭାବେ ଷ୍ଟଲ ପକାଇ ଶୁଭେଚ୍ଛା କାର୍ଡ ଦୋକାନ ପସରା ମେଲାଉଥିଲେ ଅନେକ ଦୋକାନୀ । ଭୁବନେଶ୍ୱର ଓ କୋଲକତା ଆଦିରୁ ବିଭିନ୍ନ କିସମର ନାମୀଦାମୀ କାର୍ଡ ଗ୍ରାହକଙ୍କ ଉଦେଶ୍ୟରେ ବିକ୍ରି ହେଉଥିଲା । ୫୦ପଇସା ରୁ ଆରମ୍ଭ କରି ୫୦୦ଟଙ୍କା ମୂଲ୍ୟର ଶୁଭେଚ୍ଛା କାର୍ଡକୁ ଆଦରି ନେଉଥିଲେ ଗ୍ରାହକ । ଯାହାକି ଆଜି ସାତ ସପନ ହୋଇଯାଇଛି । ଦୀର୍ଘ ବର୍ଷ ଧରି ବନ୍ତ ବଜାରର ବିଭିନ୍ନ ପ୍ରାନ୍ତରେ ଶୋଭା ପାଉଥିଲା ନୂତନ ବର୍ଷର ଶୁଭେଚ୍ଛା କାର୍ଡ ପାଇଁ ମାଳମାଳ ଷ୍ଟଲ । ଆଉ ଦେଖିବାକୁ ମିଳୁଛି ଷ୍ଟଲ ନା ଷ୍ଟଲ ଆଗରେ ଗ୍ରାହକଙ୍କ ଭିଡ଼ । ଶୁଭେଚ୍ଛା କାର୍ଡ ଉପରେ ଓଡ଼ିଆ ଅବା ଇଂରାଜୀରେ ବିଭିନ୍ନ ପ୍ରକାର ସାଧୁ ଓ ମହତବାଣୀ ଉଲ୍ଲେଖ ରହୁଥିଲା, ଯାହାକି ପ୍ରତ୍ୟେକଙ୍କ ମନ ଓ ହୃଦୟକୁ ଛୁଇଁ ପାରୁଥିଲା । ମାତ୍ର ଏବେ ତାହା ଏକ ଦିବାସ୍ୱପ୍ନ ହୋଇ ରହି ଯାଇଛି । ନୂଆବର୍ଷ ଆସିବାକୁ ଦିନ କେଇଟା ବାକି ରହିଥିବା ବେଳେ, ଶୁଭେଚ୍ଛା କାର୍ଡର ଚାହିଦା ଯଦିଓ କମିଛି, ହେଲେ ଏହାର ତରିକା ବଦଳି ଯାଇ ମୋବାଇଲ ଅବା ଇଣ୍ଟରନେଟ ମାଧ୍ୟମରେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିବା ପ୍ରାୟତଃ ଆରମ୍ଭ କରି ଦେଲେଣି, ଶୁଭେଚ୍ଛାକାରି । ତେଣୁ ସମୟଚକ୍ରରେ ବଜାରରେ ଶୁଭେଚ୍ଛା କାର୍ଡ଼ ଅଲୋଡ଼ା ହୋଇପଡ଼ିବା ସହ ଏହାର ତରିକାରେ ପରିବର୍ତ୍ତନ ଆସିଛି । ଏହି ପ୍ରସଙ୍ଗକୁ ହୁଏତ ଏଡାଇ ଦିଆଯାଇ ନପାରେ ।
ସେମାନେ ଯାହା କହନ୍ତି:
୦୧.ମୋବାଇଲର ବହୁଳ ବ୍ୟବହାର ହେବା ଆଗରୁ ମୁଁ ଶୁଭେଚ୍ଛା କାର୍ଡ (ଗ୍ରୀଟିଙ୍ଗିସ)ବ୍ୟବସାୟ କରୁଥିଲି । ନୂତନବର୍ଷ ଆରମ୍ଭ ହେବାର ଦୁଇ ମାସ ଆଗରୁ କଲିକତା,ଭୁବନେଶ୍ୱର ଓ କଟକ ଆଦି ସ୍ଥାନରୁ ବିଭିନ୍ନ ପ୍ରକାର ଶୁଭେଚ୍ଛା କାର୍ଡ (ଗ୍ରୀଟିଙ୍ଗିସ)ଆଣି ଆଗରପଡ଼ା ଓ ତା’ ଆଖପାଖ ଅଂଚଳରେ ଦୋକନୀଙ୍କୁ ହୋଲସେଲ ଦରରେ ବିକ୍ରୀ କରୁଥିଲି । ସେମାନେ ବି ଦୁଇ ପଇସା ଲାଭ କରୁଥିଲେ ଏବଂ ମୋର ବି ଭଲ ବ୍ୟବସାୟ ହେଉଥିଲା । ବ୍ୟବସାୟ କରିବାର ୧୫ବର୍ଷ ଭିତରେ ଗତ ୨/୩ବର୍ଷ ହେବ ଉକ୍ତ ବେପାରରୁ ନିଜକୁ ନିବୃତ୍ତ ରଖିଛି । କାରଣ ମୋବାଇଲ ଓ ଇଣ୍ଟରନେଟର ବହୁଳ ପ୍ରଚଳନ ଯୋଗୁଁ ଶୁଭେଚ୍ଛା ବାର୍ତ୍ତା ବିଭିନ୍ନ ସାମାଜିକ ଗଣମାଧ୍ୟମର ସାହାରା ନେଇ ପଠାଯାଉଛି, ଏଣୁ ଆଉ ଶୁଭେଚ୍ଛା କାର୍ଡ ବଜାରରୁ କିଣିବାକୁ କେହି ପସନ୍ଦ କରୁନାହାନ୍ତି ତେଣୁ ବିକ୍ରୀ ତୁଳନାରେ କିଣା ମୂଲ୍ୟ ଉଠାଇବା ବି କଷ୍ଟକର ହୋଇପଡ଼ିଛି । (ଦେବବ୍ରତ ନାୟକ,ବ୍ୟବସାୟୀ,ଆଗରପଡ଼ା)
୦୨.ଡିଜିଟାଲ ସେବାର ବହୁଳ ପ୍ରଚାର ପ୍ରସାର ଫଳରେ ସାମାଜିକ ଗଣମାଧ୍ୟମର ହାତ ଧରି ଭିଡିଓ କ୍ଳିପ, ଇମେଜ, ହ୍ୱାଟ୍ସ ଅପ, ଫେସବୁକ ମେସେଜ ଦ୍ୱାରା ନୂଆବର୍ଷ ବାର୍ତା ପ୍ରେରଣ କରାଯାଉଥିବାରୁ ଅଳ୍ପ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ବ୍ୟକ୍ତି ଜଣକ ନିଜର ପ୍ରିୟ ପରିଜନକୁ ଶୁଭେଚ୍ଛା ବାର୍ତ୍ତା ଅନାୟସରେ ପ୍ରେରଣ କରାଯାଇ ପାରୁଛି ତେଣୁ ଶୁଭେଚ୍ଛା କାର୍ଡ (ଗ୍ରୀଟିଙ୍ଗିସ)ଅଲୋଡ଼ା ହୋଇପଡ଼ିଛି ।
(ସରସ୍ୱତୀ ବିରୁଆ,କମ୍ପ୍ୟୁଟର ଛାତ୍ରୀ,ଆଗରପଡ଼ା)
୦୩.ସମୟର ତାଳେ ତାଳେ ଓ ଆଧୁନିକତ୍ୱର ପରିଭାଷା ମଧ୍ୟରେ ମନୁଷ୍ୟ ତା ରୁଚିରେ ପରିବର୍ତ୍ତନ ଆଣିଛି । ତେଣୁ ରୁଚିରେ ପରିବର୍ତ୍ତନ ଏବଂ ସ୍ୱଳ୍ପ ଅର୍ଥ ଓ କମ୍ ସମୟ ମଧ୍ୟରେ ସେ ତାର ବାର୍ତ୍ତାକୁ ନିଜ ବନ୍ଧୁ,ପରିଜନ, ସହକର୍ମୀ ତଥା ସମ୍ପର୍କୀୟଙ୍କୁ ଡ଼ିଜିଟାଲ ସେବା ମାଧ୍ୟମରେ ପ୍ରେରଣ କରିପାରୁଥିବାରୁ ପୂର୍ବ ପ୍ରଚଳିତ ଶୁଭେଚ୍ଛା କାର୍ଡ(ଗ୍ରୀଟିଙ୍ଗିସ)ପ୍ରାୟ ଅଲୋଡ଼ା ହୋଇପଡ଼ିଛି ।
(ବିନୋଦ କୁମାର ଧଳ ସାମନ୍ତ,ନିର୍ଦ୍ଦେଶକ,କଳିଙ୍ଗ କମ୍ପ୍ୟୁଟର୍ସ,ଆଗରପଡ଼ା)

