Img 20251210 wa0169

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉତ୍ତର ଆଞ୍ଚଳିକ ଏଆଇ ହ୍ୟାକାଥନ୍ ୨୦୨୫

ରାଜ୍ୟ
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉତ୍ତର ଆଞ୍ଚଳିକ ଏଆଇ ହ୍ୟାକାଥନ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓ.ଏସ୍‌.ଏ (ଦ ଓଡ଼ିଆ ସୋସାଇଟି ଅଫ୍‌ ଦ ଆମେରିକାସ୍‌), ଓଡ଼ିଶା ଏଆଇ, ଆଇ.ଇ.ଇ.ଇ ୫ଜି/୬ଜି ଇନୋଭେସନ ଟେଷ୍ଟ୍‌ବେଡ୍‌ ଓ ଆଇ.ଇ.ଇ.ଇ କମ୍ୟୁନିକେସନ ସୋସାଇଟିର ପୃଷ୍ଠପୋଷକତାରେ ହେଉଥିବା ଏହି ହାକାଥନର ପୁରସ୍କାର ବିତରଣ ସମାରୋହରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ବିଜେତା ଦଳ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଶତପଥୀ ଉତ୍ତର ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଏହି ଗୌରବମୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ସାଧୁବାଦ ଜ୍ଞାପନ କରିଥିଲେ ଏବଂ ଓଡ଼ିଶାକୁ ବିଶ୍ୱର ବୌଦ୍ଧିକ ଏଆଇ ରାଜଧାନୀ ଭାବେ ସ୍ଥାପନ କରିବାର ବୃହତ୍ ଉଦ୍ୟମର ଅଂଶ ହିସାବରେ ଓଡ଼ିଶା ଏଆଇ ନୀତି, ଓଡ଼ିଶା ଭିଜନ, ଭାରତ ଏଆଇ ମିଶନ ଓ ବିଶ୍ୱବ୍ୟାପୀ ଏଆଇ ଧାରା ସହ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଏହି ହାକାଥନ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ହାକାଥନର ଚେୟାର ତଥା ନିଷ୍ଟ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ସୁକାନ୍ତ କୁମାର ମହାପାତ୍ର, ସିମ୍ପୋଜିୟମ୍‌ କୋ-ଚେୟାର ତଥା ଆମେରିକାସ୍ଥିତ ସାଉଥ୍‌ ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟ ର ପ୍ରଫେସର ପ୍ରଶାନ୍ତ ମହାପାତ୍ର, ସିମ୍ପୋଜିୟମ୍‌ କୋ-ଚେୟାର ତଥା ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଅଶ୍ୱିନୀ କୁମାର ନନ୍ଦ ଓ ଅପେରେସନାଲ୍‌ ଚେୟାର ତଥା ଆମେରିକାସ୍ଥିତ ଜନ୍‌ସ୍‌ ହପ୍‌କିନ୍‌ସ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ଆଶୁତୋଷ ଦତ୍ତାଙ୍କ ଦିଗ୍‌ଦର୍ଶନ ପାଇଁ ଏବଂ ସର୍ବୋପରି କାର୍ଯ୍ୟକ୍ରମ ଓ ପୁରସ୍କାର ରାଶିକୁ ଆଇ.ଇ.ଇ.ଇ ୫ଜି/୬ଜି ଇନୋଭେସନ ଟେଷ୍ଟ୍‌ବେଡ୍‌ ଓ ଆଇ.ଇ.ଇ.ଇ କମ୍ୟୁନିକେସନ ସୋସାଇଟି ପ୍ରାୟୋଜକତା କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗର ମୁଖ୍ୟ ପ୍ରଫେସର ଏମ୍‌. ହିମବିନ୍ଦୁ ଯୋଗଦେଇଥିଲେ । ହାକାଥନରେ ସମୁଦାୟ ୧୨ଟି ଟିମ୍‌ର ୩୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଓ ପ୍ରୋଟୋଟାଇପ୍ ଡେମୋ ଦେଖାଇଥିଲେ । ବିଚାରକ ମଣ୍ଡଳୀ ଭାବେ ଭୁବନେଶ୍ୱର ନାଇଜରର ସହଯୋଗୀ ପ୍ରଫେସର ଡ. ଶୁଭଙ୍କର ମିଶ୍ର, ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ସହକାରୀ ପ୍ରଫେସର ଡ. ଦେବାଶିଷ ମହାପାତ୍ର ଓ କୋଲକାତାର ଆର୍‌ସ୍କ୍ୟୁଏର୍‌ରିସ୍କ୍‌ଲ୍ୟାବ୍‌ର ଟିମ୍‌ ଲିଡର ରତନଲାଲ୍‌ ମହନ୍ତ ଯୋଗଦେଇଥିଲେ ।
ପ୍ରଥମ ପୁରସ୍କାର ରୂପେ ₹୧୨,୦୦୦ ରାଶି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶିବପ୍ରସାଦ ପୃଷ୍ଟି, ସୁଚିସ୍ମିତା ଦାଶ, ସନ୍ଦୀପ କୁମାର ମହାନ୍ତ ଓ ସୁଧାଂଶୁ ସେଠୀଙ୍କୁ  ପ୍ରଦାନ କରାଯଇଥିଲା । ଦ୍ୱିତୀୟ ପୁରସ୍କାର ରୂପେ ₹୮,୦୦୦ ରାଶି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଚନ୍ଦ୍ରଶେଖର ବେହେରାଙ୍କୁ ଓ ତୃତୀୟ ପୁରସ୍କାର ଭାବେ ₹୫,୦୦୦ ରାଶି ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ ସରାଙ୍ଗର ଶୁଭମ କୁମାର ଜେନା, ଅଭିଷେକ ଟିପିରିଆ, ବିବେକ ସାମଲ ଓ ଦିପୁନା ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଏହି ତିନୋଟି ଟିମ୍‌ ଭୁବନେଶ୍ୱର ସୋଆରେ ଆଗାମୀ ୧୮ ଡିସେମ୍ବରରେ ହେବାକୁ ଥିବା ଓଡ଼ିଶା ଏଆଇ ସିମ୍ପୋଜିୟମ୍‌ର ଫାଇନାଲ୍‌ ହାକାଥନରେ ଭାଗନେବେ । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ନୋଡାଲ୍‌ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ପରିଚାଳନା କରିଥିଲେ ଓ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଜ୍ୟୋତିକିଶୋର ମହାନ୍ତ ଓ ସତ୍ୟବାନ ଦାସ ପ୍ରମୁଖ ସହଯୋଗ କରିଥିଲେ.
Shrutilipi ad