- ଡି ଆର କେ ଓ ରାଉରକେଲା ବିଜୟୀ
ବାରିପଦା : ସ୍ଥାନୀୟ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା, ଉପ ସଭାପତି ଦାମୋଦର କରଣ, ସମ୍ପାଦକ ଦୀପକ କୁମାର ଦାଶ, ବରିଷ୍ଠ ସଦସ୍ୟ ବିଜୟ କୁମାର ରାୟ, ସହ ସମ୍ପାଦକ ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିଲେ I ପ୍ରଥମ ମ୍ୟାଚରେ ବାରିପଦାର ଡି ଆର କେ ଟିମ ୬ ଉଇକେଟରେ ଟାଟା ଲିଓକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଟାଟା ଲିଓ ୧୬. ୫ ଓଭରରେ ସମସ୍ତ ଉଇକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ରବି ଶର୍ମା ସର୍ବାଧିକ ୭୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ହୀରକ ସିଂହ ୪ଟି ଓ ମାରି ଲୋକନାଥ ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଡି ଆର କେ ଦଳ ୪ ଉଇକେଟ ହରାଇ ୧୩୯ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଜୟ କୁମାର ୫୨ ଓ ଅଭିଜ୍ଞାନ ମହାନ୍ତି ୪୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଅଭିଷେକ ଅଗ୍ରୱାଲ ୨ଟି ଉଇକେଟ ସଂଗ୍ରହ କରିଥିଲେ I ହୀରକ ସିଂହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦ୍ଵିତୀୟ ମ୍ୟାଚରେ ରାଉରକେଲା ୬ ଉଇକେଟରେ ସେର୍ସା, ରାଞ୍ଚିକୁ ପରାସ୍ତ କରିଥିଲେ I ପ୍ରଥମେ ବ୍ୟାଟିଂ କରି ସେର୍ସା, ରାଞ୍ଚି ୧୯ ଓଭରରେ ସମସ୍ତ ଉଇକେଟ ହରାଇ ୧୪୦ ସଂଗ୍ରହ କରିଥିଲେ I ଆର୍ୟାନ ରାଜ ୬୩ ଓ ଆଦର୍ଶ ଏ ଡି ୨୫ ରନ କରିଥିବା ବେଳେ ବିପକ୍ଷ ଦଳର ଚନ୍ଦ୍ରାଂଶୁ ବାଘେଲ ଓ ଗୌତମ ସେନ ୩ ଟି ଲେଖାଏଁ ଓ ଏମ ପାଣ୍ଡେ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ରାଉରକେଲା ୧୬. ୨ ଓଭରରେ ୪ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ I ଦଳ ପକ୍ଷରୁ ଶୁଭଙ୍କର ବିଶ୍ୱାସ ୫୦, ଅମନ ଯାଦବ ୩୪ ଓ ବିଭାସ ସାଓ ୨୨ ରନ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ସିଂହ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଗୌତମ ସିନ୍ହା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଏମ ସି ଏ ଏମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସମରପ୍ରୀତ ପ୍ରଧାନ, ବିଶ୍ୱମ୍ବର ମହାକୁଡ଼ ଓ ଇନ୍ଦ୍ରଜିତ ପ୍ରସାଦ ଖେଳ ପରିଚାଳନା କରିଥିବା ବେଳେ ସୌରଜିତ ସାହୁ ସ୍କୋରିଙ୍ଗରେ ସହାୟତା କରିଥିଲେ I ସୁରେଶ ସାଣ୍ଡିଲ, ବୁବୁ ସିନ୍ହା ଓ ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ I ଆସନ୍ତାକାଲି ୧ମ ମ୍ୟାଚ ଟି ସି ସି, ଭୁବନେଶ୍ୱର ଓ ଡି ଆର କେ, ବାରିପଦା ମଧ୍ୟରେ ଏବଂ ୨ୟ ମ୍ୟାଚ ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରି ୱରିୟାର୍ସ ଓ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

