ଭୁବନେଶ୍ୱର : ପବିତ୍ର ଗୀତା ଜୟନ୍ତୀ ଅବସରରେ ରାଜଧାନୀର ଇଉନିଟ-୮ ସ୍ଥିତ ପାୱାର ହାଉସ କଲୋନି ସରକାରୀ ଉଚ୍ଚ ବିଦ୍ୟାଳୟର ପରିସର ଏକ ଆଧ୍ୟାତ୍ମିକ ଚେତନାରେ ଉଦ୍ବେଳିତ ହୋଇଉଠିଥିଲା। ‘ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ’ର ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଶ୍ରୀମଦ୍ଭଗବଦ୍ଗୀତାର ଦିବ୍ୟ ବାଣୀ ଗୁଞ୍ଜରିତ ହୋଇ ସମଗ୍ର ପରିବେଶକୁ ଶାନ୍ତିମୟ କରିଦେଇଥିଲା ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଭବାନୀ କୁମାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପରିଷଦର ସମ୍ପାଦକ ତଥା ବିଶିଷ୍ଟ ସାରସ୍ୱତ ସଂଗଠକ ଶ୍ରୀ ରମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଓ ଆଲୋଚକ ଭାବରେ ଯୋଗଦାନ କରିଥିଲେ। ଶ୍ରୀ ମିଶ୍ର ଗୀତାର ମାହାତ୍ମ୍ୟ ଉପରେ ସୁବିସ୍ତୃତ ଓ ଭାବପୂର୍ଣ୍ଣ ଆଲୋଚନା କରି କହିଥିଲେ ଯେ, “ଗୀତା କେବଳ ଏକ ଧର୍ମଗ୍ରନ୍ଥ ନୁହେଁ, ବରଂ ଏହା ଜୀବନ ଜିଇଁବାର କଳା ଶିଖାଏ। ଦୈନିକ ଗୀତା ପାଠ ଦ୍ୱାରା ମନର କଳୁଷ ନାଶ ହୁଏ ଏବଂ ହୃଦୟରେ ଅପୂର୍ବ ଶାନ୍ତି ଓ ଆନନ୍ଦର ଲହରୀ ଖେଳିଯାଏ।” ବିଶେଷ କରି ଛାତ୍ରଛାତ୍ରୀମାନେ ଏକାଗ୍ରତା ବୃଦ୍ଧି ଓ ସୁଚରିତ୍ର ଗଠନ ନିମନ୍ତେ ପ୍ରତ୍ୟହ କିଛି ସମୟ ଗୀତା ଅଧ୍ୟୟନ କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯେତେବେଳେ ସମସ୍ତ ଛାତ୍ରଛାତ୍ରୀ ସାମୂହିକ ଭାବେ ଗୀତା ପାଠ କରିଥିଲେ ସେମାନଙ୍କ ସମବେତ କଣ୍ଠ ନିଃସୃତ ଶ୍ଳୋକ ଉଚ୍ଚାରଣ ବିଦ୍ୟାଳୟ ପରିସରରେ ଏକ ଦିବ୍ୟ ସ୍ପନ୍ଦନ ସୃଷ୍ଟି କରିଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ଜ୍ଞାନ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ର ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗୀତା ଜୟନ୍ତୀର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଗୀତା କିପରି ମାନବ ଜାତିର ପଥପ୍ରଦର୍ଶକ ସାଜିଛି, ସେ ବିଷୟରେ ସମ୍ୟକ ବକ୍ତବ୍ୟ ରଖିଥିଲେ। ଏହି ମହତ୍ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଅତ୍ୟନ୍ତ ଭକ୍ତିଭାବର ସହ ସହଯୋଗ କରିଥିଲେ, ଯାହା ଫଳରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଥିଲା।

