Judgement 1 e1765031965819 300x157

ସ୍ୱାମୀ ହନ୍ତା ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ରାଜ୍ୟ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଶନିବାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାର ବିବରଣୀରୁ ପ୍ରକାଶ, ୨୦୨୨ ଫେବୃୟାରୀ ୨୨ ତାରିଖ ଦିନ ମଙ୍ଗୁଳି ନାଏକଙ୍କୁ ପାରିବାରିକ କଳହ କାରଣରୁ ତାଙ୍କ ପତ୍ନୀ ରୀନା ନାଏକ ଏକ ଛୁରୀରେ ଗଳା କାଟି ହତ୍ୟା କରିଥିଲେ। ଏ ସମ୍ପର୍କରେ ସେହିଦିନ ମୃତ ମଙ୍ଗୁଳିଙ୍କ ପ୍ରଥମ ପତ୍ନୀ ମାମି ନାଏକ ଆଠଗଡ ଥାନାରେ ଏତଲା ଦେଇଥିଲେ। ଆଠଗଡ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ଆକ୍ରମଣରେ ବ୍ୟବହୃତ ଛୁରିକୁ ଜବତ କରିଥିଲେ । ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦାସ ମାମଲାର ବିଚାର ବେଳେ ସମସ୍ତ ସାକ୍ଷ୍ୟ ପ୍ରମାଣ, ପୁଲିସର ଅଭିଯୋଗ ଫର୍ଦ୍ଦ, ପୁଲିସ ବିଜ୍ଞାନାଗାର ପରୀକ୍ଷା ରିପୋର୍ଟ ଏବଂ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଅଭିଯୁକ୍ତ ରୀନା ନାଏକକୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଥିଲେ। ଏଡିଜେ ତାଙ୍କ ରାୟରେ ଅଭିଯୁକ୍ତ ପତ୍ନୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୨ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଶରତ କୁମାର ଦାଶ ଓ ଦେବାଶିଷ ସିଟ୍ ପରିଚାଳନା କରୁଥିବାବେଳେ କଟକର ପ୍ରୋସିକ୍ୟୁସନ ଉପନିର୍ଦ୍ଦେଶକ ଏସ କେ ସାମନ୍ତ ଆବଶ୍ୟକ ପରାମର୍ଶ ଦେଇଥିଲେ।

Shrutilipi ad