ବାରିପଦା: ନିକଟରେ ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଟିମ୍ ନେପାଳକୁ ହରାଇ ବିଶ୍ୱବିଜୟୀ ହୋଇଛି । ବିଜେତା ଦଳରେ ମୟୁରଭଞ୍ଜ ମାଟିର ତିନି ସୁକନ୍ୟା ଯମୁନାରାଣୀ ଟୁଡୁ, ବାସନ୍ତୀ ହାଁସଦା ଓ ପାର୍ବତୀ ମାର୍ଣ୍ଡି ପ୍ରତିନିଧିତ୍ଵ କରିଥିଲେ । ଆଜି ନିଜ ଜନ୍ମମାଟିକୁ ଫେରିବା ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ ସେମାନଙ୍କୁ ପୋଡାଅସ୍ତିଆସ୍ଥିତ ବୀର୍ସାମୁଣ୍ଡା ଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାସହ ସେମାନଙ୍କୁ ପୁଷ୍ପ ସଜ୍ଜିତ ଖୋଲା ଜିପ୍ ରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ବିଜୟୀ ଦଳର ଖେଳାଳୀ ମାନଙ୍କୁ ସମ୍ମାନୀତ କରିବାକୁ ସମ୍ମିଳନୀ କକ୍ଷ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଉପସ୍ଥିତ ରହି ତିନି ଖେଳାଳିଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ନିଜର କଠିନ ସାଧନ ଓ ଅଭ୍ୟାସ ବଳରେ ଭାରତୀୟ ଦଳକୁ ପ୍ରତିନିଧିତ୍ଵ କରି ବିଜୟ ଅଣିଥିବାରୁ ଜିଲ୍ଲାପାଳ ଶ୍ରୀ ସୟ ସେମାନଙ୍କୁ ଉଚ୍ଚ ପ୍ରଶଂସା କରି ଆମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ । ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଖେଳର ବିକାଶ ନିମନ୍ତେ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ତିନି ଖେଳାଳି ସେମାନଙ୍କ ଅନୁଭୂତି ସମ୍ପର୍କରେ ବଖାଣିଥିଲେ । ସୂଚନା ଥାଉକି ଦ୍ରୁତ ବୋଲର ଭାବେ ଯମୁନାରାଣୀ ଟୁଡୁ , ଅଲ୍ ରାଉଣ୍ଡର ଭାବେ ବାସନ୍ତୀ ହାଁସଦା, ୱିକେଟ କିପର ଭାବେ ପାର୍ବତୀ ମାରାଣ୍ଡି ଭାରତୀୟ ଦଳଙ୍କୁ ପ୍ରତିନିଧିତ୍ଵ କରିଥିଲେ । ଅନୁଷ୍ଠିତ ଉକ୍ତ ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରଣଜିତ୍ ସୋରେନ୍, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବାରିପଦା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଖୁଣ୍ଟା ବ୍ଲକର ଜନ ପ୍ରତିନିଧିଗଣ ଓ ଖେଳାଳିଙ୍କ ପରିବାର ଏବଂ ବନ୍ଧୁ ପରିଜନ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

