Img 20251205 wa0165

ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର  ଠାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ-୨୦୨୫ ପାଳିତ ହୋଇଛି । ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ଶାମାଖୁଣ୍ଟା ଓ ଯଶିପୁରର ମିଳିତ‌ ସହଭାଗିତାରେ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ସଭାପତିତ୍ୱ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋକନାଥ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କୃଷି ପାଇଁ ରାସାୟନିକ ସାରର କମ୍ ପ୍ରୟୋଗ ଓ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱ ଦେଲେ ହିଁ ବାସ୍ତବରେ ମୃତ୍ତିକା ଉର୍ବର ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସର ବିଷୟବସ୍ତୁ “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା” ସମ୍ପର୍କରେ ଆଲୋଚନା କରି ପରିବେଶକୁ ସୁସ୍ଥ ଓ ପବିତ୍ର ରଖିବା ପାଇଁ ବ୍ୟାପକ ବୃକ୍ଷ ରୋପଣ କରିବାକୁ ମତ ପୋଷଣ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ୪୯ ନଂ ଜୋନ୍  ଜିଲ୍ଲା ପରିଷଦ ସଦସ୍ୟ ମଧୂସୁଦନ ସିଂ, ଏଡିଓ ବାଙ୍ଗିରିପୋଷି ସୌଭାଗ୍ୟ କୁମାର ମହାନ୍ତି, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ସଭାରେ ମଞ୍ଚାସୀନ ରହି ମୃତ୍ତିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲାର ୧୦ ଗୋଟି ବ୍ଲକର ସମୁଦାୟ ୧୦୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ସେହିପରି ବୈଷୟିକ ଅଧିବେଶନ କାଳରେ ବୈଜ୍ଞାନିକ ଡଃ ଜ୍ୟୋତି ପ୍ରକାଶ ମିଶ୍ର ମୃତ୍ତିକାର ଉର୍ବରତା ଓ କୃଷିର ଉନ୍ନତି ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବରିଷ୍ଠ ବୈଜ୍ଞାନିକ ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ସଭା ଶେଷରେ କୃଷି ବିଜ୍ଞାନ କେନ୍ଦ୍ର ଯଶିପୁରର ବରିଷ୍ଠ ବୈଜ୍ଞାନିକ ଡଃ ଦୀପକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମୃତ୍ତିକା ରସାୟନ ବିଭାଗ ଏଡିଏ ଅର୍ଚ୍ଚନା ବଳା, ସହକାରୀ କୃଷି ଅଧିକାରୀ ମଧୁସ୍ମିତା ଜେନା, ସହକାରୀ କୃଷି ଅଧିକାରୀ ରୋମିଓ ରଞ୍ଜନ ମହାନ୍ତ ଓ କୃଷି ବିଜ୍ଞାନ କେନ୍ଦ୍ର ଶାମାଖୁଣ୍ଟା ଓ ମୃତ୍ତିକା ରସାୟନ ବିଭାଗ ବାରିପଦାର ସମସ୍ତ କର୍ମଚାରୀ ସକ୍ରିୟ ଭୂମିକା ନେଇଥିଲେ।
Shrutilipi ad