- ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରଞ୍ଜାମ
ଆଗରପଡ଼ା:ମାଳମାଳ ପ୍ରକଳ୍ପର ନିର୍ମାଣ ସରିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ନହୋଇ ପଡ଼ିରହିବା ସହ ଲକ୍ଷାଧିକ ଟଙ୍କାର ସରଞ୍ଜାମ ବ୍ୟବହାର ଯୋଗ୍ୟ ହେବା ଆଗରୁ ନଷ୍ଟ ହେବାକୁ ବସିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗେରୁଆମୟ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ଚର୍ଚ୍ଚା ହେଉଛି । । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ । ଗୋଟିଏ ପଟେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ସବୁ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ବେଳେ ରଙ୍ଗରେ ପରିବର୍ତ୍ତନ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ସରକାରଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯୯୪ ମସିହାରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହେବା ପରଠାରୁ ଏହାର ଭିତ୍ତି ଭୂମିରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇପାରି ନଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଟିମ ଗସ୍ତ ପୂର୍ବରୁ ଏହାର କଳେବର ରଙ୍ଗିନ ହୋଇପାରି ଥିଲା । ମାତ୍ର ଡ଼ାକ୍ତର ନଥିବାରୁ ରୋଗୀମାନେ ନାନା ହିନସ୍ତା ହେଉଥିଲେ । ଭାରାପ୍ରାପ୍ତ ଡ଼ାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଏଠାରେ ଖାଲି ପଡ଼ିିବା ପରେ ଗତ ୨୦୨୨ ଜାନୁୟାରୀ ମାସରେ ସରକାର ଏଠାରେ ଏକ ନିୟମିତ ଡ଼ାକ୍ତର ନିଯୁକ୍ତି ଦେଇଥିଲେ । ସେହିପରି ଡ଼ାକ୍ତରଙ୍କ ରହିବା ପାଇଁ ଗୃହ ସମେତ ପାଚେରୀ ନିର୍ମାଣ କରାଯାଇଥିଲା । ପାନୀୟ ଜଳ ଓ ବିଦ୍ୟୁତ ସେବା ଉପରେ ମଧ୍ୟ ସରକାର ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ଅଧିକାରୀମାନେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରି ଭାରପ୍ରାପ୍ତ ଡ଼ାକ୍ତରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ଗୃହରେ କର୍ମଚାରୀ ରହୁନଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ ଆନୁକୂଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୫ମ ସିଫସି ଯୋଜନାରେ ୮ଲକ୍ଷ ଅଟକଳ ମୂଲ୍ୟରେ ବାୟୋ ମେଡ଼ିକାଲ ୱେଷ୍ଟ ଇକ୍ୱିଇମେଣ୍ଟପ୍ରକଳ୍ପ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଷୋଳ ଲକ୍ଷ ଛୟାଳିଶ ହଜାର ଛଅଶହ ଛପନ ଟଙ୍କା ମୂଲ୍ୟର ଲେବର ରୁମ ନିର୍ମାଣ କାର୍ଯ୍ୟ ସରି କାର୍ଯ୍ୟକ୍ଷମ ହୋଇ ନପାରି ପଡ଼ି ରହିଛି । ତେଣୁ କେଉଁ ସ୍ୱାର୍ଥରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଳମାଳ ପ୍ରକଳ୍ପ ନିର୍ମାଣ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଯୋଜନାର ସଫଳ ରୂପାୟନ ପ୍ରତି ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ପ୍ରତିଦିନ ବାହାରୁଥିବା ଆବର୍ଚ୍ଚନା ଯେପରିକି ଛୁଂଚି,ବ୍ୟାଣ୍ଡେଜ କପଡ଼ା,ସିରିଂଜ,ପ୍ଲାଷ୍ଟିକ ବୋତଲ ସମତେ ଅନ୍ୟାନ୍ୟ ଅବ୍ୟବହୃତ ସାମଗ୍ରୀ ଏଣେତେଣେ ପଡ଼ି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବାରୁ ଏକ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସରଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଯୋଗାଇ ଦିଆଯାଇଥିଲା । ଉକ୍ତ ସରଞ୍ଜାମ ର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ବାହାରୁଥିବା ବିିଭିନ୍ନ ଆବର୍ଚ୍ଚନାକୁ ସଂଗ୍ରହ କରି ତାକୁ କାଟି ଛୋଟ ଛୋଟ ନଷ୍ଟ କରିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା । କିନ୍ତୁ ଦୁଃଖ ଓ ଅନୁତାପର ବିଷୟ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଉକ୍ତ ସରଞ୍ଜାମ ବ୍ୟବହାର ଯୋଗ୍ୟ ହେବା ଆଗରୁ ନଷ୍ଟ ହେବାକୁ ବସିଛି । ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅଲୋଡ଼ା ହୋଇ ପଡ଼ିରହି ଖତ ଖାଉଛି । ଉକ୍ତ ସରଞ୍ଜାମ ବ୍ୟବହାର ଯୋଗ୍ୟ ହେବା ପାଇଁ ଆବଶ୍ୟକ କରୁଥିବା ଉପକରଣ ଉପଲବ୍ଧ ହୋଇପାରୁନଥିବାରୁ ଏହାର ଅବସ୍ଥା ଏହିପରି ହୋଇଥିବା ଜଣାପଡ଼ିଛି । ତେଣୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନଥିବା ଓ ଲକ୍ଷାଧିକ ଟଙ୍କାର ସରଞ୍ଜାମ ନଷ୍ଟ ହେବାକୁ ବସିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ ଓ ବ୍ୟବହାରଯୋଗ୍ୟ କରିବା ପରିବର୍ତ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗେରୁଆମୟ କରିବା ନିଶା ସରକାରଙ୍କୁ ଘାରିଥିବାରୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ନେଇ ଅଂଚଳବାସୀ ସନ୍ଦିହାନ ହୋଇପଡ଼ିଛନ୍ତି । ତେଣୁ ରୂପରଙ୍ଗରେ ପରିବର୍ତ୍ତନ ଆଣିବା ସହିତ ନିର୍ମାଣାଧିନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

