ବାରିପଦା: ପ୍ରସ୍ତାବିତ ବୁଢ଼ାମରା–ଚକୁଳିଆ ରେଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ସରକାରୀ ନିୟମାନୁଯାୟୀ ଧାରା ୨୦(ଖ) ଅନୁସାରେ ଭୂମି ଅଧିଗ୍ରହଣ କାର୍ଯ୍ୟ ହେଉଛି । ଏହି ଜମି ଅଧିଗ୍ରହଣ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକ୍ରିୟା ଯଥା ନିରୀକ୍ଷଣ ମାଧ୍ୟମରେ ଭୂମିର ପ୍ରକୃତ ସ୍ଥିତି, ମାଲିକାନା ତଥ୍ୟ, ତଥା ଅବସ୍ଥିତ ଗଠନ ଗୁଡ଼ିକକୁ ଧ୍ୟାନରେ ରଖି ଫିଲ୍ଡ ଟିମ୍ ଦିବାରାତି ନିରୀକ୍ଷଣ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ମୌଜାରେ ଜମିର ବାସ୍ତବ ଅବସ୍ଥା ଯାଞ୍ଚ କରାଯାଉଛି । ସେହିପରି ସର୍ଭେ ପ୍ରକ୍ରିୟା ଜରିଆରେ ରେଳ ଆଲାଇନମେଣ୍ଟ ଅନୁଯାୟୀ ବିସ୍ତୃତ ଡିଜିପିଏସ୍ ସର୍ଭେ ଏବଂ ଫିଲ୍ଡ ସର୍ଭେ ନିରନ୍ତର ଭାବରେ ଚାଲୁଛି । ବିଶେଷ ଭାବେ ପଡ଼ା, ଖେତ ଓ ଅସମାନ ଭୂଭାଗରେ ମାପଚୁପ ଦ୍ରୁତ ଗତିରେ ହେଉଛି । ଏଥି ସହିତ ପ୍ରତ୍ୟେକ ଖାତା ଓ ପ୍ଲଟ୍ର ସଠିକ ମାପ ପ୍ରକ୍ରିୟା ଚାଲିଛି । ମାପ ସମୟରେ ଜମି ମାଲିକ ଏବଂ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିକୁ ପ୍ରାଥମିକତା ଦିଆଯାଉଛି । ଏବଂ ଭୂମି ସମ୍ପର୍କିତ ମାଲିକାନା, ଦାବି-ଆପତ୍ତି ଏବଂ ଅନ୍ୟାନ୍ୟ ଦଲିଲପତ୍ରର ସତ୍ୟାପନ କାମ ଚାଲିଛି । ଯେଉଁ ସ୍ଥାନରେ ଦ୍ୱିତୀୟ ଦାବି, ଦାତା-ଅନୁଦାତା ମାମଲା ଅଛି ସେଥିରେ ବିଶେଷ ତଦନ୍ତ ହେଉଛି । ସେହିପରି ସୀମା ପରିଚୟ ସ୍ୱରୂପ ପ୍ଲଟ୍ ସୀମା ଚିହ୍ନଟ ପାଇଁ ଫିଲ୍ଡ ଟିମ୍ ରାଜସ୍ୱ ମାନଚିତ୍ର, ଆରଓଆର୍ ତଥ୍ୟ ଓ ଡିଜିପିଏସ୍ ଡାଟା ସହ ସମନ୍ୱୟ ରକ୍ଷା କରି ବିବାଦୀୟ ସୀମାକୁ ସ୍ପଷ୍ଟ କରିବା ପାଇଁ ସ୍ଥଳ ପରିମାପ ଯାଞ୍ଚ ହେଉଛି । ରେଳ ଆଲାଇନମେଣ୍ଟ ଅନୁଯାୟୀ ଚିହ୍ନଟ ହୋଇଥିବା ଜମି ସୀମାରେ ପିଲାର୍ ପୋଷ୍ଟିଂ ନମ୍ୱରିଂ ଓ ଫିକ୍ସିଂ କାମ ଜାରି ରହିଛି । ପ୍ରକଳ୍ପଟିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ଫିଲ୍ଡ ଟିମ୍ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ।

