ଆଗରପଡ଼ା:ଅତି ନୃଶଂସ ଭାବେ ୫ଟି ଗୋରୁଙ୍କୁ ଇଣ୍ଡିଗୋ ସିଏସ କାରରେ ବସ୍ତା ଲଦିବା ପରି ଲଦି ଯାଉଥିବା ବେଳେ ଜନୈକ ବୋଲେରୋ ଡ୍ରାଇଭରଙ୍କ ଯୋଗୁଁ ଏହି ଗୋରୁ ଗୁଡ଼ିକ ଉଦ୍ଧାର ପାଇଛନ୍ତି । ସୂଚନାନୁଯାୟୀ, ସୋମବାର ଭୋର ସମୟରେ ଇଣ୍ଡିଗୋ ସିଏସ କାର ନଂ ଓଆର-୦୫-ଏଏନ-୦୦୧୮୮ ଦୃତ ଗତିରେ ଆଗରପଡ଼ା ମୁଖ୍ୟ ରାସ୍ତାଦେଇ ଯାଉଥିଲା । ବାହାଘର ଭଡ଼ା କରି ବୋଲେରୋ ଡ୍ରାଇଭର ଫେରୁଥିବା ବେଳେ ଇଣ୍ଡିଗୋ କାର ଉପରେ ସନ୍ଦେହ ହେବାରୁ ତାର ପିଛା କରିଥିଲେ । ଇଣ୍ଡିଗୋ ଡ୍ରାଇଭର ଏହା ଜାଣିପାରି କାରକୁ ଆହୁରି ଅଧିକ ଦୃତ ଗତିରେ ଚଲାଇବାରୁ ଭାରସାମ୍ୟ ହରାଇ ଇଣ୍ଡିଗୋ ସ୍ଥାନୀୟ ଡାଏଟ ଛକଠାରେ ନୟନଜୋରିକୁ ଓଲଟି ପଡ଼ିଥିଲା । ଡ୍ରାଇଭର ଓ ତାଙ୍କର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପୁରୁଷଣ୍ଢ ଗାଁ ରାସ୍ତାରେ ଯାଉଥିବା ବେଳେ ଲୋକେ ସେହି ୨ ଜଣଙ୍କୁ କାବୁ କରିଥିଲେ । ଇଣ୍ଡିଗୋ ପଛ ସିଟ କଟାଯାଇ ଡିକିରେ ୫ଟି ଗୋରୁକୁ ଭର୍ତ୍ତି କରାଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସି ଗୋରୁ ଗୁଡ଼ିକୁ ଉଦ୍ଧାର କରିଥିଲେ । ଥାନା କେସ ନଂ ୨୨୬/୨୫ରେ ମାମଲା ରୁଜ୍ଜୁ କରି ପୋଲିସ ଭଦ୍ରକ ପୁରୁଣାବଜାର ଅଂଚଳର ସେକ ସୁରଜ(୨୩) ଓ ଅବଦୁଲ ସାହି(୧୯) ନାମକ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଇଣ୍ଡିଗୋ କାରକୁ ଜବତ୍ କରିଥିବାର ଥାନାଧିକାରୀ ଦେବରାଜ ଜେନା ସୂଚନା ଦେଇଛନ୍ତି ।

