78e7b619 9007 41d2 a6f8 9a81e830a7a5

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବ, ଭକ୍ତି ଓ ବିଶ୍ୱାସର ଦେବତା: ଲେଖକ ସାମ୍ମୁଖ୍ୟର ସାହିତ୍ୟ ଉତ୍ସବରେ ବିଶିଷ୍ଟ ଅତିଥିଙ୍କ ମତ

ରାଜ୍ୟ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଲେଖକ ସାମ୍ମୁଖ୍ୟ, ଓଡ଼ିଶା’ ଆନୁକୂଲ୍ୟରେ  ଶୁକ୍ରବାର  ଦିନ ପୁରୀ ୟୁଥ୍ ହଷ୍ଟେଲ ସଭାଗୃହରେ ଏକ ଭବ୍ୟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ଓ ମହିମା ଉପରେ ବିଶଦ ଆଲୋଚନା କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା ମହାପ୍ରଭୁଙ୍କ ସ୍ୱରୂପ ସମ୍ପର୍କରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ପଣ୍ଡା ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଦାରୁ ଦିଅଁ ନୁହନ୍ତି, ସେ ହେଉଛନ୍ତି ଭାବ, ଭକ୍ତି, ସମର୍ପଣ ଏବଂ ଅନୁଭୂତି ଅନୁଭବର ଦେବତା। ତାଙ୍କ ପାଖରେ କୌଣସି ଯୁକ୍ତି, ତର୍କ କିମ୍ବା ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ନାହିଁ। ସେ ଭାବଗ୍ରାହୀ, ଅନ୍ତର୍ଯ୍ୟାମୀ ଏବଂ କେବଳ ବିଶ୍ୱାସର ଠାକୁର ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ।

8a0275d9 aa03 4893 9a6f dee8d2c42481

ଅନୁଷ୍ଠାନର ସଭାପତି ଡକ୍ଟର ଅଲେଖ ଚନ୍ଦ୍ର ପଢିଆରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ବକ୍ତା ଓ ଆଲୋଚକ ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ମାନସ ମହାପାତ୍ର, କୃଷ୍ଣଚନ୍ଦ୍ର ରଥ, ଶରତ ଚନ୍ଦ୍ର ରଥ, ମନୋଜ କୁମାର ଜେନା, ପ୍ରସନ୍ନ କୁମାର ହୋତା ,  ବଦ୍ରି ମିଶ୍ର ଏବଂ ଚକ୍ରଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ବକ୍ତା ମହାପ୍ରଭୁଙ୍କ ସହ ଜଡ଼ିତ ନିଜ ନିଜର ଆଧ୍ୟାତ୍ମିକ ଅନୁଭୂତି ଓ ଅନୁଭବକୁ ବର୍ଣ୍ଣନା କରିବା ସହ ଜଗନ୍ନାଥ ସଂସ୍କୃତିର ମହାନତା ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ଆଧ୍ୟାତ୍ମିକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଅନାମ ଚନ୍ଦ୍ର ସାହୁ ଓ ଶିବ ସୁନ୍ଦର ମିଶ୍ରଙ୍କ ସୁଚାରୁ ସଂଯୋଜନାରେ ଆୟୋଜିତ ଏହି କବିତା ପାଠ କାର୍ଯ୍ୟକ୍ରମରେ ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ନିଜର ସ୍ୱରଚିତ ଭକ୍ତିମୂଳକ କବିତା ଆବୃତ୍ତି କରି ପରିବେଶକୁ ଭକ୍ତିମୟ କରିଦେଇଥିଲେ। ଏହି ବିଶେଷ ଅବସରରେ ନାଟ୍ୟକାର ଡକ୍ଟର ଝାଡେଶ୍ୱର ପ୍ରଧାନଙ୍କ ରଚିତ ନାଟକ ପୁସ୍ତକ ‘ଜାଗୃତି ଓ ଅନ୍ୟାନ୍ୟ ନାଟକ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ସଭାର ପ୍ରାରମ୍ଭରେ ସଂପାଦିକା ବିମଳା ସିଂହ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟକାର ବିଜୟ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଆବାହକ ରମାକାନ୍ତ ମିଶ୍ର ସମଗ୍ର ସଭା ପରିଚାଳନା କରିଥିଲେ। ଏହି ସାହିତ୍ୟ ଉତ୍ସବରେ ବହୁସଂଖ୍ୟାରେ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଏବଂ ଜଗନ୍ନାଥ ପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

Shrutilipi ad