Img 20251128 wa0243

ବିପର୍ଯ୍ୟୟ ପରିଚାଳନାର ରୋଡ ମ୍ୟାପ ଗ୍ରାମ୍ୟ ସ୍ତରରୁ ଆରମ୍ଭ ହେବ 

ରାଜ୍ୟ
ବାରିପଦା: ଶୂନ୍ୟ ମୃତ୍ୟୁହାର” ତଥା “ପ୍ରତ୍ୟେକ ଜୀବନ ମୂଲ୍ୟବାନ” ଏହା ହେଉଛି ବିପର୍ଯ୍ୟୟ ପରିଚାଳନାର  ମୂଳମନ୍ତ୍ର. ଏଭଳି ଏକ ଆଭିମୁଖ୍ୟ ନେଇ ଗ୍ରାମ୍ୟ ସ୍ତରରୁ ବିପର୍ଯ୍ୟୟ ପରିଚାଳନାକୁ ଅଧିକରୁ ଅଧିକ କ୍ରିୟାଶୀଳ, ସୁଦୃଢ, ଓ ସଶକ୍ତ କରିବା, ଅଭିନବ ଜ୍ଞାନ କୌଶଳର ପ୍ରୟୋଗ, ସୃଜନଶୀଳତାକୁ ଗୁରୁତ୍ଵ ଦେବା, ଯୋଜନା ପ୍ରସ୍ତୁତି, ଦୁର୍ବଳ ଗୋଷ୍ଠୀ ସମୂହର ଚିହ୍ନଟକରଣ, ଗୋଷ୍ଠୀ ସହଭାଗିତା ବୃଦ୍ଧି ସହିତ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଏହାର ସଠିକ ଓ ସଫଳ ରୂପାୟନ ସଙ୍ଗେ ସଙ୍ଗେ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ଵ ତାପମାନ ବୃଦ୍ଧି ହେତୁ ଆଗାମୀ ଦିନରେ ସମ୍ମୁଖୀନ ହେବାକୁ ଥିବା ପ୍ରତିବନ୍ଧକ ସବୁର ସହଜ ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ଓ ଏଥି ନିମନ୍ତେ ବିପର୍ଯ୍ୟୟ ପରିଚାଳନାର ରୋଡ ମ୍ୟାପ କିଭଳି ଗୋଷ୍ଠୀ ସ୍ତରରୁ ଆରମ୍ଭ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେଇ ମୟୁରଭଞ୍ଜ ଜିଲ୍ଲାର 404 ପଞ୍ଚାୟତର କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ବାରିପଦା ସ୍ଥିତ ପଞ୍ଚାୟତ  ସଂସାଧନ କେନ୍ଦ୍ର ସଭା ଗୃହରେ ଆୟୋଜିତ ହେଉଅଛି  ବୋଲି ଉଦଯାପନୀ ସଭାରେ ଡେପୁଟୀ କଲେକ୍ଟର ଶ୍ରଦ୍ଧା ସୁମନ  ଯୋଗ ଦେଇ ମତ ପ୍ରକାଶ କରିଥିଲେ l ସେ ଆହୁରି ମଧ୍ୟ କହିଥିଲେ ଯେ,  ବିପର୍ଯ୍ୟୟ ପରିଚାଳନା ହେଉଛି ଏକ ଟିମ୍ ୱାର୍କ ଯେଉଁଥିରେ ଉଭୟ ସରକାରୀ ସଂସ୍ଥା,  ବେସରକାରୀ ଅନୁଷ୍ଠାନ, ସ୍ଵେଚ୍ଛାସେବୀ ଓ ଗୋଷ୍ଠୀ ସମୂହର ସମାନ ଭୂମିକା ଥାଏ ଏବଂ ସମସ୍ତଙ୍କର ସହଯୋଗରେ ଆମେ ଅସମ୍ଭବକୁ ସମ୍ଭବ କରିଥାନ୍ତି. ଏହିକ୍ରମରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ଭାବେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରୁଥିବା ସେ ପ୍ରକାଶ କରିଥିଲେ |
ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ  ଜଗବନ୍ଧୁ ମହାନ୍ତି  ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ସଙ୍ଗେ ସଙ୍ଗେ ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ଓସଡମାର ସ୍ଵିକୃତୀପ୍ରାପ୍ତ ମାଷ୍ଟର ଟ୍ରେନର  ମନୋଜ ଜେନା,  ମହେନ୍ଦ୍ରନାଥ ସେନାପତି, ପ୍ରଦୀପ କୁମାର ଦାସମହାପାତ୍ର, ଓ ଆଶିଷ କୁମାର ମଲ୍ଲିକ  ପ୍ରମୁଖ ତାଲିମ ପ୍ରଦାନ କରିଥିଲେ | ଉକ୍ତ ପର୍ଯ୍ୟାୟରେ ଠାକୁରମୁଣ୍ଡା, ରାଇରଙ୍ଗପୁର, ବଡସାହି, ଶାମାଖୁଣ୍ଟା, ସାରସକଣା,ଶୁଳିଆପଦା, ମୋରଡ଼ା ଓ ବାଙ୍ଗିରିପୋଷି ବ୍ଲକରୁ 50 ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶ ଗ୍ରହଣ କରିଥିଲେ |
Shrutilipi ad