1

ସାତକଡ଼ି ହୋତାଙ୍କ ଜନ୍ମ ଜୟନ୍ତୀ: ଅଧ୍ୟାପକ ବିଶ୍ଵରଂଜନଙ୍କୁ ପ୍ରଦାନ କରାଗଲା ‘ସାହିତ୍ୟ ଓ ସାମ୍ବାଦିକତା ସମ୍ମାନ’

ରାଜ୍ୟ

ଭୁବନେଶ୍ଵର, ତା. ୨୭/୧୧: ଓଡ଼ିଶାର ବିଶିଷ୍ଟ ସାରସ୍ଵତ ସାଧକ ତଥା ସାମ୍ବାଦିକ ସ୍ୱର୍ଗତ ସାତକଡ଼ି ହୋତାଙ୍କ ଜନ୍ମତିଥି ଅବସରରେ ଅଧ୍ୟାପକ ବିଶ୍ଵରଂଜନଙ୍କୁ ଚଳିତ ବର୍ଷର ‘ସାତକଡ଼ି ହୋତା ସାହିତ୍ୟ ଓ ସାମ୍ବାଦିକତା ସମ୍ମାନ-୨୦୨୫’ ପ୍ରଦାନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲେଖକ ସମବାୟ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।


ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ଯୋଗଦେଇ ସାତକଡ଼ି ହୋତାଙ୍କ ସ୍ମୃତିଚାରଣ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ହୋତା ଥିଲେ ଏକାଧାରରେ ଜଣେ ସାରସ୍ଵତ ସବ୍ୟସାଚୀ। ଗଳ୍ପ, ଉପନ୍ୟାସ, କବିତା ଓ ପ୍ରବନ୍ଧ କ୍ଷେତ୍ରରେ ସେ ଯେଭଳି ସଫଳ ଥିଲେ, ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେତିକି ପାରଦର୍ଶିତା ଲାଭ କରିଥିଲେ। ବିଶେଷକରି ୧୯୯୬ରୁ ୨୦୨୪ ପର୍ଯ୍ୟନ୍ତ ଦୈନିକ ‘ସମୟ’ର ସମ୍ପାଦକ ଭାବେ ତାଙ୍କର ଅବଦାନ ଅତୁଳନୀୟ ଥିଲା।

F4efc435 242a 455e b90c d1a1060a309d


‘ନିତିଦିନ’ର ସଂପାଦକ ଶ୍ରୀ ମନୋଜ କୁମାର ମହାପାତ୍ର ସଭାରେ ସଭାପତିତ୍ୱ କରି ସାହିତ୍ୟ ଓ ସାମ୍ବାଦିକତା ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ସାମ୍ବାଦିକତାର ମୌଳିକ ଉପାଦାନ ହେଉଛି ସତ୍ୟ ଘଟଣାର ପ୍ରକାଶ, କିନ୍ତୁ ସାହିତ୍ୟ ହେଉଛି ତଥ୍ୟ ସହ କଳ୍ପନାର ସମ୍ମିଶ୍ରଣ।” ଜଣେ ସଫଳ ସାମ୍ବାଦିକଙ୍କର ଭାଷା ଓ ସାହିତ୍ୟ ଉପରେ ଦଖଲ ରହିବା ଏକାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଦାଶ ବେହୁର ଯୋଗଦେଇ କହିଲେ ଯେ ସାହିତ୍ୟ ଓ ସାମ୍ବାଦିକତା ପରସ୍ପରର ପରିପୂରକ ଅଟନ୍ତି। ସମ୍ବର୍ଦ୍ଧିତ ପ୍ରତିଭା ଅଧ୍ୟାପକ ବିଶ୍ଵରଂଜନ ନିଜ ବକ୍ତବ୍ୟରେ ସାତକଡ଼ି ହୋତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାହିତ୍ୟ ଓ ସାମ୍ବାଦିକତାରେ ବ୍ରତୀ ହୋଇଥିବା କଥା ସ୍ୱୀକାର କରିଥିଲେ।

ଏହି ଅବସରରେ ଓଡ଼ିଶା ଲେଖକ ସମବାୟ ସମିତିର ନିର୍ଦ୍ଦେଶକ ଡ. ଝାଡ଼େଶ୍ଵର ପ୍ରଧାନଙ୍କ ପୁସ୍ତକ ‘ଜାଗୃତି ଓ ଅନ୍ୟାନ୍ୟ ନାଟକ’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀମତୀ ମଧୁସ୍ମିତା ବିଶ୍ଵାଳ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ଦେଇଥିବାବେଳେ, ଲେଖକ ସମବାୟ ସମିତିର ସଭାପତି ପୀତବାସ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ସାତକଡ଼ି ହୋତା ସ୍ମୃତି ପରିଷଦର ସଂପାଦକ ଶ୍ରୀ ରମାକାନ୍ତ ମିଶ୍ର ମାନପ‌ତ୍ର ପାଠ କରିଥିଲେ।

ଏହି ସଭାରେ ସାତକଡ଼ି ହୋତାଙ୍କ କନ୍ୟା ତଥା ‘ଅମୃତାୟନ’ର ସମ୍ପାଦିକା ସୌମ୍ୟା ରଥ, ଜାମାତା ଅଶୋକ ରଥ ଏବଂ ପୁତ୍ର ରାଜିବ ହୋତା ଉପସ୍ଥିତ ଥିଲେ। ଶେଷରେ ସମିତିର ସମ୍ପାଦକ ସୁକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Shrutilipi ad