Img 20251126 wa0209

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୫ମ ସନ୍ଧ୍ୟା : ଦର୍ଶକଙ୍କ ମନମୋହିଲା ଝାଡ଼ଖଣ୍ଡର ନାଟକ “ବାଲତୁ ଗୁରୁ”

ରାଜ୍ୟ
ବାରିପଦା  :  ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ଇଣ୍ଡିଜେନଶ ପିପଲ ଆର୍ଟ ଏଣ୍ଡ କଲଚର ସୋସାଇଟି, ଝାଡ଼ଖଣ୍ଡ ପ୍ରଯୋଜିତ ସାନ୍ତାଳୀ ନାଟକ “ବାଲତୁ ଗୁରୁ” ମଞ୍ଚସ୍ଥ ହୋଇଯାଇଛି | ଜିତରାଇ ହାଁସଦାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସୀମା ଟୁଡୁ, ଆରତୀ ହାଁସଦା, ରମେଶ ଟୁଡୁ, ମନସା ମୁର୍ମୁ, ମାନୁ ମୁର୍ମୁ, ଖେଲା ସୋରେନ, ସୋମାୟ ମାର୍ଣ୍ଡି, ରାମଚନ୍ଦ୍ର ମାର୍ଣ୍ଡି, ଉର୍ମିଳା ହାଁସଦା, ଦୁଲାରୀ ମାର୍ଣ୍ଡି, ବୋସେନ ମାର୍ଣ୍ଡି, ଦଶରଥ ହାଁସଦା ଓ ଜିତରାଇ ହାଁସଦା ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ଜିତରାଇ ମୁର୍ମୁ ଓ ବିନୋଦ ହାଁସଦା ସହଯୋଗ କରିଥିଲେ | ନାଟକରେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା  |
ଆଜି ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ବାରିପଦାରେ ଜାତୀୟ ନାଟକ ମହୋତ୍ସବର ଆୟୋଜନ କରିଥିବା ରୂପାନ୍ତର ଅନୁଷ୍ଠାନର ପ୍ରଶଂସା କରିଥିଲେ | ସଂସ୍ଥାର ନିର୍ଦ୍ଦେଶକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ନାଟ୍ୟ ସମ୍ପାଦକ ସତ୍ୟନାରାୟଣ ଦାସ  ଧନ୍ୟବାଦ ଅର୍ପଣ କରିଥିଲେ | ଅପୂର୍ବା ସାହୁ ଓ ଶୁଭେନ୍ଦୁ ସାହୁ ମଞ୍ଚ ପରିଚାଳନା କରିଥିଲେ | ଆଜି ସକାଳେ ପ୍ରଥମେ ଯୋଗାସନ ଓ ପରେପରେ ବରିଷ୍ଠ ଗ୍ରୁପର ଲୁକ୍କାୟିତ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଡଃ ମନୋରଞ୍ଜନ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଆସନ୍ତାକାଲି ଶେଷ ସନ୍ଧ୍ୟାରେ ସମ୍ପର୍କ, ରାଉରକେଲା ପ୍ରଯୋଜିତ ଓଡ଼ିଆ ନାଟକ “ଜନ୍ମମାଟି” ପରିବେଷିତ ହେବ |
Shrutilipi ad