Whatsapp image 2025 11 24 at 4.39.22 pm

ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

ରାଜ୍ୟ

ବାରିପଦା: ସ୍ଥାନୀୟ ଶହୀଦ ସ୍ମୃତି ଭବନ ପରିସରରେ ରୂପାନ୍ତର’ ସାଂସ୍କୃତିକ ଓ ସାମାଜିକ ସଂଗଠନ ତରଫରୁ ଆରମ୍ଭ ହୋଇଥିବା ବହୁଭାଷୀ ନାଟକ ମହୋତ୍ସବ ଅବସରରେ ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ବହୁଭାଷୀ କବିତା ପାଠୋତ୍ସବ ଓ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କିତ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡାକ୍ତର ପାର୍ଥ ସାରଥୀ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ \”ପ୍ରତିଶ୍ରୁତି\’ର ପ୍ରତିଷ୍ଠାତା ସମ୍ପାଦକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଓଡ଼ିଆ ଭାଷାର ସମୃଦ୍ଧ ସାହିତ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଭାଷା ସମ୍ପର୍କିତ ଆଲୋଚନା ଚକ୍ରରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନାରାୟଣ ପ୍ରସାଦ ବେହେରା ମୁଖ୍ୟ ଅତିଥି ଓ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡକ୍ଟର ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ସୁଗାୟିକା ସୁଶ୍ରୀ ଭାରତୀ ବେବର୍ତ୍ତା, କବୟିତ୍ରୀ ସ୍ନେହଲତା ନାୟକ ଓ ଭାସ୍ୱତୀ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବହୁଭାଷୀ କବିତା ପାଠୋତ୍ସବରେ ସଂସ୍କୃତ, ହିନ୍ଦୀ, ବଙ୍ଗଳା, ଇଂରାଜୀ , ଓଡ଼ିଆ, ସାନ୍ତାଳୀ, ମୁଣ୍ଡାରୀ ଓ ହୋ ପ୍ରଭୃତି ଭାଷାରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ଡକ୍ଟର ବେହେରା ଓ ଡକ୍ଟର ଚକ୍ରଙ୍କୁ “ରୂପାନ୍ତର’’ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସମ୍ପାଦକ ଭାଗବତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Shrutilipi ad